ପୁରୀ : ନୂଆବର୍ଷରୁ ଶ୍ରୀମନ୍ଦିରରେ ନୂଆ ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି। ନୂଆବର୍ଷରୁ ନାଟମଣ୍ଡପରେ ସ୍ୱତନ୍ତ୍ର ବେରିକେଡ଼ ଦେଇ ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯିବ।ବ୍ୟାରିକେଡ଼ ଭିତରେ ପୁରୁଷ, ମହିଳା, ଶିଶୁ, ବୟସ୍କ ଭକ୍ତଙ୍କ ପାଇଁ ସ୍ବତନ୍ତ୍ର ଲାଇନ ବ୍ୟବସ୍ଥା କରାଯିବ। ଓବିସିସି ଦ୍ୱାରା ଏହି ନୂତନ ବ୍ୟବସ୍ଥା କରାଯାଉଥିବା ବେଳେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ନେଇ ପଦକ୍ଷେପ ନିଆଯିବ। ତେବେ ଦିବ୍ୟାଙ୍ଗ ଭକ୍ତଙ୍କ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ନେଇ ଖୁବଶୀଘ୍ର ସେବାୟତଙ୍କ ସହ ଆଲୋଚନା କରାଯିବ।
ଅନ୍ୟପଟେ ଆନନ୍ଦ ବଜାରରେ ଶୃଙ୍ଖଳାକୁ ଆହୁରି କଡ଼ାକଡ଼ି କରାଯିବ। ଆନନ୍ଦବଜାରରେ ଶୃଙ୍ଖଳା ଆଣିବା ପାଇଁ ଏକ ଅନୁଧ୍ୟାନ କମିଟି ଗଠନ କରାଯାଇଛି । ତଦାରଖ ଓ ବିଶୃଙ୍ଖଳା ରୋକିବାକୁ ୨୦ଜଣ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି । ଏମାନେ ପର୍ଯ୍ୟାୟକ୍ରମେ ୮ ଘଣ୍ଟିଆ ଡ୍ୟୁଟି କରୁଛନ୍ତି । ଏହାସହ ମହାପ୍ରସାଦ ବିକ୍ରି କରୁଥିବା ସୁପକାରଙ୍କ କ୍ଷେତ୍ରରେ ବି କଟକଣା ଲଗାଯାଇଛି । ଦୋକାନ ମାଲିକଙ୍କ ବ୍ୟତୀତ ଅନ୍ୟ କେହି ମହାପ୍ରସାଦ ଦୋକାନ ଚଳାଇ ପାରିବେନି ବୋଲି ବାଧ୍ୟତାମୂଳକ କରାଯାଇଛି । ଅନ୍ନ ମହାପ୍ରସାଦ ଓ ଶୁଖିଲା ମହାପ୍ରସାଦ ବିକ୍ରି କରୁଥିବା ସୁପକାରଙ୍କୁ ସହାୟତା ପାଇଁ ଜଣେ ଲେଖାଏଁ ସହାୟକ ରଖିବାକୁ ଅନୁମତି ପ୍ରଦାନ କରାଯାଇଛି।
ସେହିପରି ମହାପ୍ରସାଦ ବିକ୍ରି କରୁଥିବା ସୁପକାରଙ୍କ ସହାୟକମାନେ ଏଥର ପିନ୍ଧିବେ ଗେରୁଆ ରଙ୍ଗର ପୋଷାକ । ଏମାନେ ଗେରୁଆ ରଙ୍ଗର ପୋଷାକ ପିନ୍ଧି ମହାପ୍ରସାଦ ବିକ୍ରି କରିପାରିବେ କିମ୍ବା ସହାୟତା କରିପାରିବେ । ଶ୍ରୀମନ୍ଦିର ପ୍ରଶାସନର ସ୍ବୀକୃତି କ୍ରମେ ସୁଆର ମହାସୁଆର ନିଯୋଗ ଆନନ୍ଦବଜାର କ୍ଷେତ୍ରରେ ଏହି ବ୍ୟବସ୍ଥା ଲାଗୁ କରିଛି । ଯେଉଁ ସହାୟକମାନେ ରହିଛନ୍ତି, ସେମାନେ ଆସନ୍ତା ୨୫ ତାରିଖ ଠାରୁ ଗେରୁଆ ରଙ୍ଗର ପୋଷାକ ପିନ୍ଧି ଆନନ୍ଦବଜାରକୁ ଆସିବେ।
ସେପଟେ ଶ୍ରୀମନ୍ଦିରରେ ବିଶୃଙ୍ଖଳା ଆଚରଣକୁ ନେଇ ବାରମ୍ବାର ଖବର ଆସୁଥିବା ଘଟଣାକୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି ଶ୍ରୀମନ୍ଦିରରେ ବିଶୃଙ୍ଖଳା ଆଚରଣ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନୀତି କାନ୍ତି ଶୃଙ୍ଖଳିତ କରିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି। ଭକ୍ତଙ୍କ ଦର୍ଶନ ସହ ମହାପ୍ରଭୁଙ୍କ ନୀତି କାନ୍ତିରେ କୌଣସି ପ୍ରକାର ବିଶୃଙ୍ଖଳାକୁ କ୍ଷମା କରାଯିବନି।