ସଂଚାର ବ୍ୟୁରୋ: ଜଳୁଛି ନେପାଳ। ରାଜରାସ୍ତାରେ ଯୁବଗୋଷ୍ଠୀ। ଦେଶବ୍ୟାପୀ ହିଂସାକାଣ୍ଡ। ହିଂସାରେ ୯ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଶତାଧିକ ଆହତ ହୋଇଛନ୍ତି। ସୋସିଆଲ ମିଡିଆ ବ୍ୟାନ ଓ ଦୁର୍ନୀତି ପ୍ରତିବାଦରେ ନେପାଳରେ ଜୋରଦାର ବିକ୍ଷୋଭ। ରାଜରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର ଯୁବକଯୁବତୀ। କାଠମାଣ୍ଡୁରେ କର୍ଫ୍ୟୁ ଜାରି ହୋଇଥିବାବେଳେ ଆନ୍ଦୋଳନକାରୀଙ୍କ ଉପରକୁ ପୋଲିସ ଲୁହବୁହା ଗ୍ୟାସ ଓ ପାଣିମାଡ଼ କରିଛି। ବଡ଼କଥା ହେଉଛି ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି ୨୮ ବର୍ଷରୁ କମ ବୟସର ଯୁବକଯୁବତୀ ଏବଂ ସେମାନଙ୍କୁ ଜେନ ଜେଡ ବୋଲି କୁହାଯାଉଛି। ସେମାନଙ୍କୁ କୌଣସି ରାଜନୈତିକ ଦଳ ବି ସମର୍ଥନ କରୁନାହାନ୍ତି। କେ. ପି. ଶର୍ମା ଓଲି ସରକାର ଇନଷ୍ଟାଗ୍ରାମ, ହ୍ବାଟସଆପ, ସିଗନାଲ ଓ ଉଇଚାଟ ସମେତ ୨୬ଟି ସୋସିଆଲ ମିଡିଆକୁ ବନ୍ଦ କରିବା ପରେ ତାତିଛନ୍ତି ଯୁବବାହିନୀ। ସରକାରଙ୍କ ନିକଟରେ ପଞ୍ଜିକରଣ କରିବା ଲାଗି ଏହି ସୋସିଆଲ ମିଡିଆ ମନା କରିବା ପରେ ପଦକ୍ଷେପ ସ୍ବରୂପ ଏଗୁଡିକୁ ବନ୍ଦ କରିବା ଲାଗି ନିଷ୍ପତ୍ତି ନେଇଥିଲେ ସରକାର। ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି କାଠମାଣ୍ଡୁ ମେୟର ବାଲେନ ଶାହ। ପୂର୍ବରୁ ଦେଶବ୍ୟାପୀ ଆନ୍ଦୋଳନ କରିବାକୁ ଘୋଷଣା କରିଥିଲା ଜେନ ଜେଡ। ୧୯୯୫ରେ ଜେନ ଜେଡର ଉତ୍ପତ୍ତି ଘଟିଥିଲା ଏବଂ ୧୮ରୁ ୩୦ ବର୍ଷ ବୟସର ଯୁବକଯୁବତୀମାନଙ୍କୁ ଏଥିରେ ସାମିଲ କରାଯାଉଛି।

