ସଂଚାର ବ୍ୟୁରୋ: ନେପାଳରେ ସ୍ଥିତି ସଙ୍ଗୀନ । ପ୍ରଧାନମନ୍ତ୍ରୀଙ୍କ ପରେ ପଦ ଛାଡିଲେ ରାଷ୍ଟ୍ରପତି । ନେପାଳ ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଏହାପରେ ସେନା ଦେଶର ଶାସନ ଭାର ନିଜ ହାତକୁ ନେଇପାରେ । ଖୁବଶୀଘ୍ର ଦେଶବାସୀଙ୍କୁ ସମ୍ଭୋଧିତ କରିବେ ଆର୍ମି ମୁଖ୍ୟ ଅଶୋକ ରାଜ ସିଙ୍ଗଦେଲ୍ ।
ସେଠାକାର ସଂସଦ ଭବନରେ ନିଆଁ ଲଗାଇ ଦେଇଛନ୍ତି ପ୍ରଦର୍ଶନକାରୀ। ସଂସଦ ଭବନରେ ପଶି ଲଙ୍କାକାଣ୍ଡ କରିଛନ୍ତି Gen Z। ସଂସଦର ଉଭୟ ଗୃହରେ ପୋଡ଼ା ଜଳା କରିଛନ୍ତି । ଖାଲି ସଂସଦ ନୁହେଁ ନେପାଳର ରାଜଧାନୀ କାଠମାଣ୍ଡୁ ଏବେ ସମ୍ପୂର୍ଣ୍ଣ ଭାବେ ବିକ୍ଷୋଭକାରୀଙ୍କ କବଜାରେ ।
ନେପାଳରେ ସୋସିଆଲ ମିଡିଆ ବନ୍ଦ ହେବା ପରେ ଦେଖାଦେଇଥିଲା ଭୟଙ୍କର ଅଶାନ୍ତି । ହଜାର ହଜାର ଯୁବକ ଓ ଯୁବତୀ ଏହି ସୋସିଆଲ ମିଡିଆ ପ୍ରତିବନ୍ଧକ ବିରୁଦ୍ଧରେ ରାସ୍ତାକୁ ଓହ୍ଲାଇଥିଲେ । ବିରୋଧ ପ୍ରଦର୍ଶନ କରିଥିଲେ । ପରେ ପିରୋଧ ପ୍ରଦର୍ଶନକାରୀମାନେ ପୁଲିସ ବ୍ୟାରିକେଡ ଭାଙ୍ଗି ସଂସଦ ପରିସର ଭିତରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । ପୁଲିସ ପ୍ରଦର୍ଶନକାରୀମାନଙ୍କୁ ଅଟକାଇବା ପରେ ହିଂସାତ୍ମକ ସ୍ଥିତି ସୃଷ୍ଟି ହୋଇଥିଲା । ଯେଉଁଥିରେ ଏପର୍ଯ୍ୟନ୍ତ ଅତି କମରେ ୨୦ ଜଣଙ୍କର ମୃତ୍ୟୁ ହୋଇଛି ଏବଂ 300 ରୁ ଅଧିକ ଲୋକ ଆହତ ହୋଇଛନ୍ତି ।