ନେପାଳରେ ପ୍ରଳୟଙ୍କାରୀ ବନ୍ୟାରେ ମୃତ୍ୟୁ ସଂଖ୍ୟା ୯୦୦ ଟପିଲା । ୪୨୦୦ରୁ ଅଧିକ ନିଖୋଜ । ବ୍ୟାପକ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ନେପାଳର ରସୁୱା ତଥା ଆଖପାଖ ଅଞ୍ଚଳରେ ପ୍ରଳୟଙ୍କରୀ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ବ୍ୟାପକ ଧନଜୀବନ କ୍ଷୟକ୍ଷତି ଘଟିଛି । ଅନେକ ଅଞ୍ଚଳରେ ପାଣି ବଢିବା ଯୋଗୁଁ ଉଦ୍ଧାର କାର୍ଯ୍ୟ କଷ୍ଟକର ହୋଇଛି । ରବିବାର ଦିନ ଅନେକ ପ୍ରଭାବିତ ଅଞ୍ଚଳରୁ ଉଦ୍ଧାର କାର୍ଯ୍ୟ କରାଯାଇଛି । ୯,୪୩୫ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।
ନେପାଳ ଜାତୀୟ ବିପର୍ଯ୍ୟୟ ବିପଦ ହ୍ରାସ ଏବଂ ପରିଚାଳନା ପ୍ରାଧିକରଣ ସୂଚନା ବର୍ତ୍ତମାନ ସୁଦ୍ଧା ୯୦୧ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପ୍ରାୟ ୪,୨୪୭ ଜଣ ଏବେ ମଧ୍ୟ ନିଖୋଜ ରହିଛନ୍ତି । ବନ୍ୟା ଯୋଗୁଁ ଚିତୱନରେ ସର୍ବାଧିକ ୨୭୨, ପୂର୍ବ ନବଲପରାସୀରେ ୨୦୭, ପଶ୍ଚିମ ନବଲପରାସୀରେ ୧୫୧ ଏବଂ ନୁୱାକୋଟରେ ୯୫ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ନିଖୋଜ ଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ୫୯୨ ଜଣ ବିଦେଶୀ ନାଗରିକଙ୍କ ସମେତ ବହୁ ସଂଖ୍ୟାରେ ସ୍ଥାନୀୟ ବାସିନ୍ଦା, ଜଳବିଦ୍ୟୁତ ପ୍ରକଳ୍ପ କର୍ମଚାରୀ ଓ ସୁରକ୍ଷା କର୍ମୀ ସାମିଲ ଅଛନ୍ତି ।
ଜଳବିଦ୍ୟୁତ୍ ପ୍ରକଳ୍ପର ୯୩୩ କର୍ମଚାରୀ ନିଖୋଜ ଥିବା ସୂଚନା ରହିଛି । ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ନେପାଳ ସେନା, ନେପାଳ ପୋଲିସ ଏବଂ ସଶସ୍ତ୍ର ପୋଲିସ ବଳର ପ୍ରାୟ ୨୦ ହଜାର ୮୧୧ ଯବାନ ନିୟୋଜିତ ଅଛନ୍ତି । ହେଲିକପ୍ଟର ଓ ବିମାନ ଯୋଗେ ୪୧୧ ଥର ଉଡ଼ାଣ ମାଧ୍ୟମରେ ବର୍ତ୍ତମାନ ସୁଦ୍ଧା ୧୦,୪୫୧ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି, ଯେଉଁଥିରେ ଭାରତୀୟଙ୍କ ସମେତ ଅନେକ ବିଦେଶୀ ନାଗରିକ ରହିଛନ୍ତି । ଅଚିହ୍ନା ମୃତଦେହଗୁଡ଼ିକୁ ଚିହ୍ନଟ କରିବା ପାଇଁ ୨୧ଟି ଡାକ୍ତରଖାନାରେ ସଂରକ୍ଷିତ ରଖାଯାଇ ପ୍ରକ୍ରିୟା ଜାରି ରହିଛି ।
ବନ୍ୟା ପରେ ମୃତ୍ୟୁ ସଂଖ୍ୟା ବଢିବା ଯୋଗୁଁ ନେପାଳ ସାମ୍ନାରେ ଆଉ ଏକ ଚ୍ୟାଲେଞ୍ଜ ଆସିଛି । ଅନେକ ମୃତଦେହ ପରିଚୟ ମିଳୁନି । ତେଣୁ ସେମାନଙ୍କର ଯାଞ୍ଚ ପ୍ରକ୍ରିୟା ପୂରଣ ହେବା ପରେ ସାମୂହିକ ଭାବେ ଅନ୍ତିମ ସଂସ୍କାର କରାଯାଉଛି ।

