୧୦ଦିନିଆ ଦିଲ୍ଲୀ ରହଣି ପରେ ଓଡ଼ିଶା ଫେରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ବଡ଼ ଭାଇ ପ୍ରେମ ପଟ୍ଟନାୟକଙ୍କ ଅସୁସ୍ଥତା ଯୋଗୁ ଗତ ୧୦ ତାରିଖରେ ନବୀନ ଦିଲ୍ଲୀ ଯାଇଥିଲେ । ବଡ଼ ଭାଇଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ସହ ଲମ୍ବା ବ୍ୟବଧାନ ପରେ ପରିବାର ସହ ସମୟ ବିତାଇଥିଲେ ।
ଏହି ଦିଲ୍ଲୀ ରହଣୀ ଭିତରେ ସଂସଦର ସ୍ୱତନ୍ତ୍ର ଅଧିବେଶନକୁ ନେଇ ରାଜନୀତି ଜମିଥିଲା । ସୀମା ନିର୍ଦ୍ଧାରଣ ସମ୍ପର୍କିତ ବିଲ୍ରେ ଓଡ଼ିଶା କ୍ଷତିଗ୍ରସ୍ତ ହେବ ବୋଲି ନବୀନ ବାରମ୍ବାର କହିଥିଲେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟର ସମସ୍ତ ସାଂସଦଙ୍କୁ ଚିଠି ଲେଖି ଓଡ଼ିଶା ପାଇଁ ସ୍ୱର ଉଠାଇବାକୁ ନବୀନ ଅନୁରୋଧ କରିଥିଲେ । ନବୀନଙ୍କ ନିର୍ଦ୍ଦେଶ କ୍ରମେ ବିଜେଡି ସାଂସଦମାନେ ଏହି ବିଲ୍କୁ ବିରୋଧରେ କଡ଼ା ଆଭିମୁଖ୍ୟ ପ୍ରଦର୍ଶନ କରିଥିଲେ । ନବୀନ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଦଳୀୟ ନେତା ଓ କର୍ମକର୍ତ୍ତାମାନେ ତାଙ୍କୁ ପାଛୋଟି ଆଣିଥିଲେ ।

