ସଂଚାର ବ୍ୟୁରୋ: ଆମ୍ବ ଟାକୁଆ ମୃତ୍ୟୁ ପ୍ରସଙ୍ଗରେ ବର୍ଷିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ବିଜେପି ସରକାରଙ୍କୁ କଲେ ଟାର୍ଗେଟ। କହିଲେ ବିନା କାରଣରେ ଆଦିବାସୀଙ୍କ ଚାଉଳ ବନ୍ଦ କରିଛନ୍ତି ସରକାର। ଆମ୍ବଟାକୁଆ ଯାଉ ଖାଇ ଯାଇଛି ୨ ନିରୀହ ଆଦିବାସୀଙ୍କ ଜୀବନ। ଏବେ ବି ୬ ଜଣ ଚିକିତ୍ସିତ ହେଉଛନ୍ତି । ଆମର ୧୨ ବର୍ଷର ତପସ୍ୟା ଶୁଖୁଆପୋଡାରେ ସାରିଦେଲେ ବିଜେପି ସରକାର।
ସେପଟେ ବିଜେଡ଼ିର ସଭ୍ୟ ସଂଗ୍ରହ ଅଭିଯାନ ସମ୍ପର୍କରେ କହିଛନ୍ତି, ଆନନ୍ଦର କଥା ଅକ୍ଟୋବରରୁ ଆରମ୍ଭ ହୋଇଥିବା ମେମ୍ବରସିପ୍ ଡ୍ରାଇଭ ଭଲରେ ଚାଲିଛି । ବହୁତ ଲୋକ ବିଜେଡିରେ ସାମିଲ ହେଉଛନ୍ତି । ସମସ୍ତଙ୍କୁ ମୁଁ ଦଳକୁ ସ୍ୱାଗତ କରୁଛି । ଯୁବ ଛାତ୍ରମାନେ ମୋ ଦଳର ଭବିଷ୍ୟତ । ଆପଣମାନେ ସୋସିଆଲ ମିଡ଼ିଆରେ ଆକ୍ଟିଭ ରୁହନ୍ତୁ । ବିରୋଧୀଙ୍କ ଅପପ୍ରଚାରର କଡା ଜବାବ ଦିଅନ୍ତୁ ।
ଆମ ସରକାରଙ୍କ ଯୋଜନା ଅନ୍ୟମାନଙ୍କ ପାଇଁ ମଡେଲ ହୋଇଛି । ଭାରତ ସରକାର ଆମର ଅନେକ ଯୋଜନା ଗ୍ରହଣ କରିଛନ୍ତି । ଭୋଟ୍ ବ୍ୟାଙ୍କ ସୃଷ୍ଟି କରିବା କେବେ ଆମର ଲକ୍ଷ୍ୟ ନଥିଲା । ବିଜେପି ସରକାର ଲୋକଙ୍କ ସମସ୍ୟାକୁ ଅଣଦେଖା କରୁଛି । ବିଜେଡି ଓଡ଼ିଶାର ଏକ ନମ୍ବର ଦଳ । ଗତ ନିର୍ବାଚନରେ ଆମେ ଅଧିକ ଭୋଟ୍ ପାଇଛୁ । ବିଜେଡି ଲୋକଙ୍କ ହୃଦୟରେ ରହିଛି ବୋଲି ନବୀନ କହିଛନ୍ତି ।