ସଂଚାର ବ୍ୟୁରୋ: ଓଡିଶାର ଗର୍ବ ଆଉ ଗୌରବ ବିଜୁ ପଟ୍ଟନାୟକଙ୍କ ଦ୍ବାରା ସ୍ଥାପିତ ୟୁନେସ୍କୋ କଳିଙ୍ଗ ପୁରସ୍କାର ପାଇଁ କେନ୍ଦ୍ର ଦେଉଥିବା ଅନୁଦାନ ରାଶି ବନ୍ଦ କରିବା ପରେ ମଧ୍ୟ ମୁହଁ ଖୋଲୁନହାଁନ୍ତି ରାଜ୍ୟର ଡବଲ ଇଂଜିନ ସରକାର । କେନ୍ଦ୍ରରେ କ୍ଷମତାସୀନ ନରେନ୍ଦ୍ର ମୋଦିଙ୍କ ବିଜେପି ସରକାର ଭୁଲିଗଲେ ଯେ, ଏହି ପୁରସ୍କାର ପ୍ରଦାନରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଆଗ୍ରହ ପ୍ରକାଶ କରିଥିଲେ ଓ ଏହାସହ ଯୋଡି ମଧ୍ୟ ହୋଇଥିଲେ । କେନ୍ଦ୍ରର ବିଜେପି ସରକାର, ରାଜ୍ୟ ସରକାର ଓ କଳିଙ୍ଗ ଫାଉଣ୍ଡେସନ ୬-୪-୪ ଅନୁପାତରେ ପୁରସ୍କାର ରାଶି ପ୍ରଦାନ ପାଇଁ ବାଜପେୟୀ ନିର୍ଦ୍ଦେଶ ଦେଇଥିଲେ । ଏବେ ଏହି ପୁରସ୍କାର ପାଇଁ ଅନୁଦାନ ବନ୍ଦ ହେବା ପରେ କ୍ଷୁବ୍ଧ ହୋଇ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂଙ୍କୁ କଡା ଚିଠି ଲେଖିଛନ୍ତି । ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାକୁ ଅଧିକ ଲୋକପ୍ରିୟ କରାଇଥିବା ବ୍ୟକ୍ତିଙ୍କୁ ସମ୍ମାନ ଦେବା ପାଇଁ ଆରମ୍ଭ ହୋଇଥିଲା ୟୁନେସ୍କୋ କଳିଙ୍ଗ ପୁରସ୍କାର। ଏହାର ମଙ୍ଗ ଧରିଥିଲେ ବିଜୁ ପଟ୍ଟନାୟକ। ବିଜୁ ବାବୁ ୩୬ ବର୍ଷ ବୟସରେ ନିଜେ ୟୁନେସ୍କୋ ସହ ଆଲୋଚନା କରି ଏହି ଆନ୍ତର୍ଜାତିକ ପୁରସ୍କାର ଆରମ୍ଭ କରିଥିଲେ । କିନ୍ତୁ ଏହି ପୁରସ୍କାର ପାଇଁ ଅନୁଦାନ ବନ୍ଦ କରିବା ଓଡିଶା ଅସ୍ମିତା ପ୍ରତି କୁଠାରଘାତ ବୋଲି ଅଭିଯୋଗ ହୋଇଛି । ୧୯୫୨ରୁ ୨୦୨୩ ମଧ୍ୟରେ ୭୨ ଜଣ ବିଶିଷ୍ଟ ବ୍ଯକ୍ତିଙ୍କୁ ମିଳିଛି ୟୁନେସ୍କୋ କଳିଙ୍ଗ ପୁରସ୍କାର। କିନ୍ତୁ କେନ୍ଦ୍ର ସରକାରଙ୍କ ଓଡିଆ ଅସ୍ମିତା ବିରୋଧୀ ନିଷ୍ପତ୍ତି ଯୋଗୁଁ ଆନ୍ତର୍ଜାତିକ ସ୍ତରରେ ଓଡିଶା ନିଜର ପରିଚୟ ହଜାଇବ । ଏଥିରେ କେନ୍ଦ୍ର ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ନିଜେ ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି ନବୀନ ।