ଆଜି ବର୍ଷର ଶେଷ ଦିନ ହୋଇଥିବାରୁ ନନ୍ଦନକାନନରେ ପର୍ଯ୍ୟଟକଙ୍କ ଭିଡ଼ ଲାଗିରହିଥିଲା। ଆଜି ପ୍ରାଣିଉଦ୍ୟାନରେ ମାତ୍ର ୨୯ ହଜାର ୧୨୬ ଜଣ ପର୍ଯ୍ୟଟକ ବୁଲିଛନ୍ତି। ତେବେ ଆଶା ଠାରୁ ବହୁତ କମ ପର୍ଯ୍ୟଟକ ବର୍ଷର ଶେଷ ଦିନରେ ବୁଲିଥିଲେ।
ଗତ ବର୍ଷ ୪୨,୮୩୨ ଜଣ ପର୍ଯ୍ୟଟକ ବୁଲି ଥିବା ବେଳେ ଚଳିତ ବର୍ଷ ୧୩ ହଜାର ୭୦୬ ଜଣ କମ ପର୍ଯ୍ୟଟକ ବୁଲିଛନ୍ତି। ପ୍ରାଣୀ ଉଦ୍ୟାନର ବାଘ, ଭାଲୁ, ସିଂହ, ହାତୀ, କୁମ୍ଭୀର, ଜିରାଫ୍ ଖୁଆଡ଼ ସମ୍ମୁଖରୁ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ସେହିପରି ସଫାରୀ ଓ ଶିଶୁ ରେଳଗାଡ଼ିରେ ପର୍ଯ୍ୟଟକ ମନଭରି ବୁଲୁଥିଲେ। ବିଶେଷ କରି ନୂତନ ଭାବରେ ନିର୍ମାଣ ହୋଇଥିବା ମାଙ୍କଡ଼ ଖୁଆଡ ନିକଟରେ ପର୍ଯ୍ୟଟକ ଅଧିକ ସମୟ ବିତାଇବା ସହିତ ପସନ୍ଦ ମଧ୍ୟ କରିଛନ୍ତି।
ପର୍ଯ୍ୟଟକ ସହଜରେ ବୁଲିବା ପାଇଁ ଅନଲାଇନ ଛଡ଼ା ଅଧିକ ଟିକେଟ କାଉଣ୍ଟର ଖୋଲାଯାଇଥିଲା। ସଠିକ୍ ପରିଚାଳନା ପାଇଁ ବିଭିନ୍ନ ସ୍ଥାନରେ ଅଧିକ କର୍ମଚାରୀ ନିୟୋଜିତ ହୋଇଥିଲେ। ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ , ଥାନା ପକ୍ଷରୁ ଅଧିକ ସୁରକ୍ଷା କର୍ମୀ ଓ ଡାକ୍ତରୀ ଟିମ୍ ନିୟୋଜିତ ହୋଇଥିଲେ।

