ସଂଚାର ବ୍ୟୁରୋ: ନବରଙ୍ଗପୁର ପୋଲିସକୁ ବଡ଼ ସଫଳତା l ଡକାୟତି ଓ ହତ୍ୟା ଭଳି ସଙ୍ଗୀନ ଅପରାଧରେ ସଂଶ୍ଳିଷ୍ଟ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ। ଏକ ନାଟକୀୟ ଢଙ୍ଗରେ ମୋଷ୍ଟ ୱାଣ୍ଟେଡ଼ ଅପରାଧୀ ଭୁବନ ଗରଡ଼ା ଗିରଫ ହୋଇଛି । ଭୁବନର ଘର ନବରଙ୍ଗପୁର ସହର ସେନାପତି ସାହିରେ। ଗତରାତିରେ ପାଟ୍ରୋଲିଂ ସମୟରେ ଏକ ଧଳା ରଙ୍ଗର ନମ୍ବର ବିହୀନ ମାରୁତି ଅଲ୍ଟୋ ଗାଡି ପୋଲିସକୁ ଚକମା ଦେଇ ଖସିଯାଉଥିଲା। ନବରଙ୍ଗପୁର ପୋଲିସ ପିଛା କରି ଗାଡିକୁ ଧରିଥିଲା। ଯାଞ୍ଚ ସମୟରେ ପୋଲିସ ଗତ ଜୁଲାଇ ୨୦୨୨ ଗଦବାଗୁଡା ସାହିର ଶେଖ ନିଜାମ ହତ୍ୟାକାଣ୍ଡର ଫେରାର ମୁଖ୍ୟ ଅଭିଯୁକ୍ତ ବୋଲି ଜାଣିବାକୁ ପାଇଥିଲା l ଗାଡି ଟିକିନିଖି ଯାଞ୍ଚ କରିବା ପରେ ତା ନିକଟରୁ ଏକ ଦେଶୀ ବନ୍ଧୁକ ସହ ୪ଟି ଅଫୁଟା ଗୁଳି , ଗୋଟିଏ ଛୁରୀ, ଦୁଇଟି ମୋବାଇଲ ଫୋନ, ପାଞ୍ଚଟି ସିମ ଓ ଚାରୋଟି ନମ୍ବର ପ୍ଲେଟ ଜବତ ହୋଇଛି l ଶେଖ ନିଜାମ ହତ୍ୟାକାଣ୍ଡ ସହ ଡାବୁଗାଁ ହାଟରେ ଜଣେ ବେପାରୀଙ୍କ ଠାରୁ ୨୮ ଲକ୍ଷ ଟଙ୍କା ଡକାୟତି ଘଟଣାରେ ସଂଶ୍ଳିଷ୍ଟ ଥିବା ଜଣାପଡ଼ିଛି। ନବରଙ୍ଗପୁର ଓ ଡାବୁଗାଁ ଥାନାରେ ତା ନାଁରେ ୭ଟି ମାମଲା ଥିବା ନବରଙ୍ଗପୁର SDPO କୃଷ୍ଣଚନ୍ଦ୍ର ଭତରା କହିଛନ୍ତି l ଅପରାଧୀ ଭୁବନକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।

