ଟେସଲା କମ୍ପାନୀର ମାଲିକ ଏଲନ ମସ୍କ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିଶ୍ୱସ୍ତ ପରାମର୍ଶଦାତାମାନଙ୍କ ମଧ୍ୟରୁ ଜଣେ। ତଥାପି, ଏବେ ଉଭୟଙ୍କ ପଥ ଅଲଗା ହୋଇଯାଇଛି। ବୁଧବାର ମସ୍କ ଟ୍ରମ୍ପ ସରକାରଙ୍କ ସରକାରୀ ଦକ୍ଷତା ବିଭାଗ (DOGE)ଠାରୁ ନିଜକୁ ଦୂରେଇ ଦେଇଛନ୍ତି। ସେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଏ ବିଷୟରେ ଅନେକ କଥା କୁହାଯାଉଛି, ଯାହା ଟ୍ରମ୍ପ ଏବଂ ମସ୍କଙ୍କ ମଧ୍ୟରେ ଫାଟକୁ ଇଙ୍ଗିତ କରିପାରେ।
ତେବେ ଟ୍ରମ୍ପ ଦ୍ବିତୀୟଥର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଏଲନ ମସ୍କଙ୍କୁ ଡିଓଜିଇର ମୁଖ୍ୟ ଭାବେ ନିଯୁକ୍ତ କରିଥିଲେ। ଏହି ବିଭାଗର କାର୍ଯ୍ୟ ଥିଲା ସରକାରୀ ଖର୍ଚ୍ଚ ଅର୍ଥ କମ କରିବା ଏବଂ ଅଯଥା ନିଯୁକ୍ତିକୁ କମାଇବା । ମସ୍କ ଏହି ବିଭାଗର ଦାୟିତ୍ବ ନେବା ପରେ ଅନେକ ବିଭାଗରୁ ଛଟେଇ କରାଯାଇଥିବାବେଳେ ସରକାରୀ ଖର୍ଚ୍ଚ କାଟ କରାଯାଇଥିଲା। ତେବେ ଟ୍ରମ୍ପଙ୍କର ମନଇଚ୍ଛା ନିଷ୍ପତ୍ତି ଏହା ପଛର ବଡ଼ କାରଣ ବୋଲି କୁହାଯାଉଛି। ଗତ କିଛି ଦିନ ହେବ ଟ୍ରମ୍ପ ଯେଉଁ ନିଷ୍ପତ୍ତି ନେଉଛନ୍ତି, ତାହା ବେଶ ବିବାଦୀୟ ହେଉଛି। ଏହି କାରଣରୁ ମସ୍କ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି।