ଓଡ଼ିଶାରେ ଜୁନ୍ ୧୦ରୁ ୧୩ ତାରିଖ ସୁଦ୍ଧା ମୌସୁମୀ ପହଞ୍ଚିପାରେ । ଏଭଳି ପୂର୍ବାନୁମାନ କରିଛନ୍ତି କୃଷି ପାଣିପାଗ ବିଶାରଦ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ । ଚଳିତବର୍ଷ ମୌସୁମୀ ସାମାନ୍ୟ ଆଗୁଆ ଦେଶକୁ ଆସିବା ନେଇ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର (ଆଇଏମଡି) ପୂର୍ବାନୁମାନ କରିଛି । ଆଇଏମଡିର ତାଜା ପୂର୍ବାନୁମାନ ଅନୁସାରେ ଆସନ୍ତା ୨୪ ଘଣ୍ଟା ଭିତରେ ଦକ୍ଷିଣ- ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ଛୁଇଁପାରେ । କେରଳରେ ଆସନ୍ତା ୨୬ ତାରିଖ ବେଳକୁ ମୌସୁମୀ ପ୍ରବେଶ କରିପାରେ । ଯଦିଓ ଏହି ଆକଳନ ୪ ଦିନ ଆଗ ପଛ ହୋଇପାରେ । ସାଧାରଣତଃ ମୌସୁମୀ କେରଳ ଛୁଇଁବାର ସ୍ୱାଭାବିକ ସମୟ ଜୁନ୍ ପହିଲା । ଗତବର୍ଷ ମେ’ ୨୪ରେ କେରଳରେ ପହଞ୍ଚିଥିଲା ମୌସୁମୀ । ତେବେ ପ୍ରଫେସର ପଶୁପାଳକଙ୍କ ବିଶ୍ଳେଷଣ ଅନୁସାରେ ମୌସୁମୀ ଆସନ୍ତା ୧୮ରୁ ୨୧ ତାରିଖ ଭିତରେ ଆଣ୍ଡାମାନରେ ପ୍ରବେଶ କରିପାରେ । ହେଲେ କେରଳ ଛୁଇଁଲାବେଳକୁ ଚଳିତ ମାସ ୨୯ ତାରିଖ ହୋଇପାରେ । କାରଣ ବର୍ତ୍ତମାନ ସାମୁଦ୍ରିକ ତାପମାତ୍ରା ଅଧିକ ରହୁଛି । ଆରବ ସାଗରରେ ପଶ୍ଚିମା ପବନ ବେଗ ବଢ଼ୁଛି ।
ପ୍ରଫେସର ପଶୁପାଳକ କହିଛନ୍ତି, ବର୍ତ୍ତମାନ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଥିବା ଲଘୁଚାପ ଉତ୍ତର-ପୂର୍ବରେ ଗତି କରି ମିଆଁମାର ଆଡ଼କୁ ଗତି କରିବ । ଫଳରେ ଓଡ଼ିଶା ଉପକୂଳରୁ ଆର୍ଦ୍ରତା କମିଯିବ । ଜୁନ୍ ପ୍ରଥମ ସପ୍ତାହବେଳକୁ ଆଉ ଏକ ଲଘୁଚାପ ବଙ୍ଗୋପସାଗରରେ ହୋଇପାରେ । ନଚେତ୍ ଛତିଶଗଡ଼ରୁ କେରଳକୁ ଏକ ଟ୍ରଫଲାଇନ ଲମ୍ବିପାରେ । ଏହା ପ୍ରଭାବରେ ଜୁନ୍ ୧୦ରୁ ୧୩ ତାରିଖ ଭିତରେ ମୌସୁମୀ ଓଡ଼ିଶା ଉପକୂଳରେ ପହଞ୍ଚିପାରେ । ଏହା ମୌସୁମୀର ସ୍ୱାଭାବିକ ସମୟ । ଯଦି ଲଘୁଚାପ ବିଳମ୍ବ ହେବ, ତେବେ ମୌସୁମୀ ଆଗମନରେ ଆହୁରି ୩/୪ ଦିନ ବିଳମ୍ବ ହୋଇପାରେ । ମୌସୁମୀ ସ୍ୱାଭାବିକ ସମୟରେ ଆସିଲେ ଉପକୂଳ ଓଡ଼ିଶାରୁ ବର୍ଷା ଆରମ୍ଭ ହେବ । ବିଳମ୍ବ ହେଲେ ପଶ୍ଚିମ ଓଡ଼ିଶାରୁ ମୌସୁମୀ ବର୍ଷା ଆସିପାରେ । ଚଳିତବର୍ଷ ମୌସୁମୀକୁ ପ୍ରଭାବିତ କରିପାରେ ସମ୍ଭାବ୍ୟ ଏଲ୍-ନିନୋ ପ୍ରଭାବ ।
ପ୍ରଫେସର ପଶୁପାଳକଙ୍କ କହିବାନୁସାରେ ଏଲ୍- ନିନୋର ପ୍ରଭାବ ଯୋଗୁ ଆଗାମ ମୌସୁମୀ ଋତୁ ବେଶ୍ ଆହ୍ୱାନପୂର୍ଣ୍ଣ ହେବ । ଓଡ଼ିଶା ପ୍ରସଙ୍ଗରେ ଦେଖିବାକୁ ଗଲେ, ଆଭ୍ୟନ୍ତରୀଣ ଏବଂ ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ବର୍ଷା ନେଇ ଅନିଶ୍ଚିତତା ସ୍ଥିତି ଉପୁଜିପାରେ । ତେଣୁ ସେ ଅଞ୍ଚଳରେ ମାଟି ବତର ହ୍ରାସ ପାଇବା ସମ୍ଭାବନା ଅଧିକ । ଏଲ୍-ନିନୋ ଯୋଗୁ ଗ୍ରୀଷ୍ମ ପ୍ରବାହ ଅଧିକ ଦିନ ଧରି ରହିବା ସହ ବର୍ଷାର ପରିମାଣରେ ବ୍ୟାପକ ଅନିଶ୍ଚିତତା ଦେଖାଯାଇପାରେ । ଓଡ଼ିଶାର କୃଷି କ୍ଷେତ୍ରରେ ବିଶେଷ କରି ଖରିଫ ଧାନ ବୁଣିବା ଏବଂ ତଳି ରୋପଣ ସମୟରେ ବର୍ଷାର ଅଭାବ ଦେଖା ଦେଇପାରେ । ଏଥିଯୋଗୁ ଚାଷୀମାନେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଏହି ସ୍ଥିତିର ମୁକାବିଲା ପାଇଁ ଚାଷୀମାନେ ସ୍ୱଳ୍ପ ଅବଧି ଏବଂ ମରୁଡ଼ି ସହନଶୀଳ ବିହନ ବ୍ୟବହାର କରିବା ଆବଶ୍ୟକ ।
