ପୁଣି ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ସପ୍ତାହକରେ ଦ୍ବିତୀୟ ଥର ଦିଲ୍ଲୀ ଗସ୍ତ କରିଛନ୍ତି। ଆସନ୍ତାକାଲି ଉପରାଷ୍ଟ୍ରପତି ନିର୍ବାଚନ ଥିବାରୁ ରାଜ୍ୟର ସମସ୍ତ ବିଜେପି ସାଂସଦଙ୍କୁ ଉଭୟ ଭେଟିବେ ବୋଲି ଜଣାପଡ଼ିଛି।
ସାଂସଦ ମାନଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୱାନ ଟୁ ୱାନ ଆଲୋଚନା କରିବା ସମ୍ଭାବନା ରହିଛି । ରାଜ୍ୟରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହି ଗସ୍ତ ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ନଭେମ୍ବର ୯ରେ ଉପରାଷ୍ଟ୍ରପତି ନିର୍ବାଚନ । ଏନେଇ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ବାସଭବନରେ ରାଜ୍ୟର ସମସ୍ତ ବିଜେପି ସାଂସଦଙ୍କୁ ମୋହନ ଓ ମନମୋହନ ଭେଟିବେ ବୋଲି ଜଣାପଡ଼ିଛି । ଆସନ୍ତାକାଲି ସାଂସଦଙ୍କ ମାନଙ୍କ ସହ ମୁଖ୍ୟମନ୍ତ୍ରୀ ୱାନ ଟୁ ୱାନ ଆଲୋଚନା କରିବା ଆଶା ରହିଛି ।
ସେହିପରି ଗସ୍ତ କାଳରେ କ୍ୟାବିନେଟ ରିସଫଲ ଓ ବିଜେପି ଟିମ ଗଠନ ଉପରେ ଚୂଡ଼ାନ୍ତ ମୋହର ବାଜିପାରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ସେପ୍ଟେମ୍ବର ୧୨ ତାରିଖକୁ ରାଜ୍ୟରେ ବିଜେପି ସରକାରକୁ ୧୫ମାସ ପୁରିବ । ସରକାରରେ ମୁଖ୍ୟମନ୍ତ୍ରୀଙ୍କ ସମେତ ୨୨ଜଣ ମନ୍ତ୍ରୀ ରହିବେ । କିନ୍ତୁ ମନ୍ତ୍ରିମଣ୍ଡଳ ଗଠନ ହେବା ପରଠାରୁ ୧୬ଜଣ ମନ୍ତ୍ରୀ ରହିଛନ୍ତି । କିଛି ମନ୍ତ୍ରୀଙ୍କ ପାଖରେ ଏକାଧିକ ବିଭାଗର ଦାୟିତ୍ବ ରହିଛି । ତେଣୁ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେବା ଏକ ପ୍ରକାର ନିଶ୍ଚିତ । ସେହିପରି ନିଗମ ଓ ସମିତିର ଅଧ୍ୟକ୍ଷ ପଦ ବି ନିଯୁକ୍ତ ହୋଇପାରିନାହିଁ । ଏହା ଉପରେ ସମସ୍ତଙ୍କ ଲକ୍ଷ୍ୟ ରହିଛି । ମୁଖ୍ୟମନ୍ତ୍ରୀ ଓ ବିଜେପି ରାଜ୍ୟ ସଭାପତି ଦିଲ୍ଲୀ ଗସ୍ତରୁ ଫେରିବା ପରେ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିବା ସମ୍ଭାବନା ରହିଛି ।
