ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ । ଏବେ ଛାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ପୀଡ଼ିତାଙ୍କ ବାପାଙ୍କ ସହିତ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ତାଙ୍କୁ ଦୁର୍ଗାପୁରରେ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତକୁ ଧରିବା ପାଇଁ ତନାଘନା ତଦନ୍ତ ଆରମ୍ଭ ହୋଇଛି । ହସ୍ପିଟାଲରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି । ପୀଡ଼ିତାଙ୍କ ପୁରୁଷ ବନ୍ଧୁ ଓ ଆଉ କିଛି ଲୋକଙ୍କୁ ପଚରାଉଚରା କରୁଛି ପୋଲିସ । ଏହି ଘଟଣାରେ IQ ସିଟି ମେଡିକାଲ କଲେଜକୁ ରିପୋର୍ଟ ତଲବ କରିଛି ପଶ୍ଚିମବଙ୍ଗର ସ୍ବାସ୍ଥ୍ୟ ବିଭାଗ । ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମମତାଙ୍କ ନିକଟରେ ଦାବି କରିଛନ୍ତି ମୁଖ୍ୟନ୍ତ୍ରୀ ମୋହନ ମାଝୀ ।
ଏହାସହିତ ପୀଡ଼ିତାଙ୍କ ବାପାଙ୍କ ସହିତ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ବାଲେଶ୍ଵରର ଏସ୍ପିଙ୍କୁ ଦୁର୍ଗାପୁର ପୋଲିସ ସହିତ ଯୋଗାଯୋଗରେ ରହି ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ତାଙ୍କର (ପୀଡ଼ିତାଙ୍କ ବାପା) ଯଦି ଅନ୍ୟ କୌଣସି ସହାୟତାର ଆବଶ୍ୟକତା ଥାଏ, ତେବେ ରାଜ୍ୟ ସରକାର ନିଶ୍ଚିତ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସମବେଦନା ଓ ସହାୟତା ପାଇଁ ପୀଡ଼ିତାଙ୍କ ପିତା ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ।
ସୂଚନାଯୋଗ୍ୟ, ଗତ ଶୁକ୍ରବାର ରତିରେ ଗଣଦୁଷ୍କର୍ମର ଶିକାର ହୋଇଥିଲେ ଛାତ୍ରୀ । ରାତି ପ୍ରାୟ ସାଢ଼େ ୮ଟା ବେଳେ ହଷ୍ଟେଲ ଗେଟ୍ ନିକଟରୁ କିଛି ଲୋକ ତାଙ୍କୁ ଏକ ଜଙ୍ଗଲିଆ ଅଞ୍ଚଳକୁ ଉଠାଇ ନେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଗଣଦୁଷ୍କର୍ମ କରିବା ସହ ତାଙ୍କ ଠାରୁ ମୋବାଇଲ ଓ ୫ ହଜାର ଟଙ୍କା ମଧ୍ୟ ଛଡ଼ାଇ ନେଇଥିବା ପୀଡ଼ିତା ଛାତ୍ରୀଙ୍କ ବାପା ଅଭିଯୋଗ କରିଛନ୍ତି । ଛାତ୍ରୀ ଜଣଙ୍କ ତାଙ୍କର ଜଣେ ପୁରୁଷ ବନ୍ଧୁଙ୍କ ସହ ବାହାରକୁ ଆସିଥିଲେ । ପୁରୁଷ ବନ୍ଧୁ ତାଙ୍କୁ ବାହାନା କରି ଏକ ଖାଲି ସ୍ଥାନକୁ ନେବା ପରେ ସେଠାରୁ ଖସି ପଳାଇଥିଲେ ।
ଏନେଇ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କ ସହ ଘଟିଥିବା ନିନ୍ଦନୀୟ ଘଟଣା ପ୍ରତି ଜିଲ୍ଲା ପ୍ରଶାସନ ଗଭୀର ଦୁଃଖ ଓ ନିନ୍ଦା କରିଛି । ଏହି ଘଟଣାରେ ପୀଡିତା ଛାତ୍ରୀ ଓ ତାଙ୍କ ପରିବାରଙ୍କୁ ଆବଶ୍ୟକ ସହାୟତା ଓ ସମର୍ଥନ ପ୍ରଦାନ ପାଇଁ ବାଲେଶ୍ଵର ଜିଲ୍ଲା ପ୍ରଶାସନ ଓ ପୋଲିସ୍ ପକ୍ଷରୁ ଏକ ମିଳିତ ଟିମ୍ ଗତକାଲି ଦୁର୍ଗାପୁର ଯାତ୍ରା କରିଛନ୍ତି । ଯେଉଁଥିରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଓ ଡିଏସପିଙ୍କ ସମେତ ଅନ୍ୟମାନେ ଅଛନ୍ତି ।

