ବିଶ୍ବସ୍ତରୀୟ ହେବ ମା’ ସମଲେଶ୍ବରୀ ପୀଠ। ଲୋକସେବା ଭବନରେ ବିକାଶ କାର୍ଯ୍ୟର ସମୀକ୍ଷା କରିବା ସହ ପୀଠର ବିକାଶ କାର୍ଯ୍ୟକୁ ବିଶ୍ବସ୍ତରୀୟ କରିବା ପାଇଁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମା’ ସମଲେଶ୍ବରୀ ମନ୍ଦିର ବିକାଶ କାମ ୩୧୬ କୋଟି ଟଙ୍କା ବିନିଯୋଗରେ ୮୨ ଏକର ପରିମିତ ଅଞ୍ଚଳରେ ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟକାରୀ ହେଉଛି । ଆଜି ବସିବ ବିଜେପିର କୋର୍ କମିଟି ବୈଠକ, ନୂଆପଡା ଉପନିର୍ବାଚନ ନେଇ ହେବ ଆଲୋଚନା ।
ପ୍ରଥମ ପର୍ଯ୍ୟାୟରେ ମନ୍ଦିର ଚତୁର୍ପାଶ୍ବର କରିଡର ନିର୍ମାଣ, ଗୋପାଳଜିଉ ମଠର ବିକାଶ, ଦୀପ ଘର, ପାର୍କିଂ ସୁବିଧା, ରିଭର ଫ୍ରଣ୍ଟ ଡେଭଲପମେଣ୍ଟ କରାଯାଇଛି । ଦ୍ବିତୀୟ ପର୍ଯ୍ୟାୟରେ ଭକ୍ତ ନିବାସ, ଲେକ୍ ଜୋନ୍, ଦୋକାନ ଗୃହ, ଫୁଡ ପାର୍କ, ପାର୍କିଂ ଏବଂ ପ୍ରବେଶ ପଥ ବିକଶିତ କରାଯିବ। ଓଡିଶାର ପ୍ରସିଦ୍ଧ ଶକ୍ତିପୀଠ ମା’ ସମଲେଶ୍ବରୀଙ୍କ ପୀଠକୁ ବର୍ଷ ତମାମ ଭକ୍ତ, ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଆସୁଥିବାରୁ ଭକ୍ତ ନିବାସରେ ଅଧିକ ସଂଖ୍ୟକ ଭକ୍ତଙ୍କ ରହଣି ସୁବିଧା, ଆବଶ୍ୟକସ୍ଥଳେ ବହୁତଳ ବିଶିଷ୍ଟ କରିବା ପାଇଁ ମୁଖ୍ୟମନ୍ତ୍ରୀ ମାଝୀ ପରାମର୍ଶ ଦେଇଛନ୍ତି। ମନ୍ଦିର ବିକାଶ କାର୍ଯ୍ୟ ପାଇଁ ବିସ୍ଥାପିତ ହେଉଥିବା ବାସିନ୍ଦାଙ୍କ ଉପଯୁକ୍ତ ଥଇଥାନ ପ୍ରତି ଯତ୍ନବାନ ହେବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ।
ଏହି ବୈଠକରେ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ବତ ମିଶ୍ର ଓ ପୂର୍ତ୍ତ ବିଭାଗର ବରିଷ୍ଠ ଅଧିକାରୀ ଓ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ।
