ଭାରତ ଓ ରୁଷ ହେଉଛନ୍ତି ଘନିଷ୍ଠ ବନ୍ଧୁ। ସବୁବେଳେ ପରସ୍ପର ସହିତ ଛିଡ଼ା ହେଉ ଆମେ। ଏପରିକି ସବୁଠାରୁ କଠିନ ସମୟରେ ମଧ୍ୟ ଆମେ ପରସ୍ପରକୁ ସହଯୋଗ କରୁ। ଦୁଇ ଦେଶର ଘନିଷ୍ଠ ସଂପର୍କ କେବଳ ରୁଷ ଓ ଭାରତବାସୀଙ୍କ ପାଇଁ ନୁହେଁ। ତାହା ହେଉଛି ବିଶ୍ଵର କଲ୍ୟାଣ ପାଇଁ। ରୁଷ ରାଷ୍ଟ୍ରପତି ପୁଟିନଙ୍କ ସହିତ ଦ୍ଵିପାକ୍ଷିକ ଆଲୋଚନା ବେଳେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ସାଂଘାଇ ସମ୍ମିଳନୀ ଅବସରରେ ଚୀନର ଟିଆନଜିନରେ ପୁଟିନ ଓ ମୋଦିଙ୍କ ମଧ୍ୟରେ ଦ୍ଵିପାକ୍ଷିକ ଆଲୋଚନା ହୋଇଛି। ଏହି ଅବସରରେ ମୋଦି କହିଛନ୍ତି, ବିଶ୍ଵର ଶାନ୍ତି, ସ୍ଥିରତା ଓ ସମୃଦ୍ଧି ଦିଗରେ କାମ କରୁଛନ୍ତି ଭାରତ ଓ ରୁଷ। ୟୁକ୍ରେନ ସଂକଟ ନେଇ ବି ଆମ ଭିତରେ ଆଲୋଚନା ହୋଇଛି। ଆମେ ଶାନ୍ତିର ସବୁ ପ୍ରକାର ପ୍ରଚେଷ୍ଟାକୁ ସ୍ଵାଗତ କରୁଛି। ଏ ଦିଗରେ ଉଭୟ ପକ୍ଷ ଆଗେଇ ଯଥା ଶୀଘ୍ର ସମାଧାନ କରିବେ ବୋଲି ଆଶା କରୁଛୁ ଏବଂ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ହେଉ ବୋଲି ଆଶା କରୁଛି। ଏହା ହେଉଛି ପୁରା ମାନବବାଦର ଆହ୍ଵାନ ବୋଲି କହିଛନ୍ତି ମୋଦି। ସେପଟେ ପୁଟିନ କହିଛନ୍ତି, ମୋଦିଙ୍କ ସାକ୍ଷାତ କରି ସେ ବହୁତ ଖୁସି। ଗ୍ଲୋବାଲ ସାଉଥ୍ ଓ ଇଷ୍ଟ ଦେଶ ସମୂହକୁ ଆଲୋଚନାର ଏକ ଭଲ ମଞ୍ଚ ପ୍ରଦାନ କରିଛି ଏସସିଓ। ଭାରତ ଓ ରୁଷର ସଂପର୍କ ହେଉଛି ବହୁମୁଖୀ। ଆଜିର ସାକ୍ଷାତ ଦୁଇ ଦେଶର ସଂପର୍କକୁ ଆହୁରି ମଜଭୁତ କରିବ। ଏସସିଓ ସମ୍ମିଳନୀ ସରିବା ପରେ ଆଜି ପୁଟିନ ଓ ମୋଦି ଗୋଟିଏ ଗାଡ଼ିରେ ଦ୍ଵିପାକ୍ଷିକ ସମ୍ମିଳନୀକୁ ଯାଇଥିଲେ।