ସଂଚାର ବ୍ୟୁରୋ: ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମଙ୍ଗଳବାର ( ୨୭ ଅଗଷ୍ଟ) ଦିନ ପୁଟିନଙ୍କୁ ଫୋନ୍ କରି ମୋଦି ନିଜର ସଦ୍ୟ ୟୁକ୍ରେନ ଗସ୍ତର ଅନୁଭୂତି ବିଷୟରେ ଜଣାଇଲେ। ଏହାସହ ରୁଷ୍-ୟୁକ୍ରେନ୍ ସଂଘର୍ଷର ଏକ ଶୀଘ୍ର, ସ୍ଥାୟୀ ଓ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଭାରତର ଦୃଢ ପ୍ରତିବଦ୍ଧତାକୁ ପୁଣି ଦୋହରାଇଲେ।
ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଏହି କଥାକୁ ଜଣାଇଛନ୍ତି। ଏକ ପୋଷ୍ଟରେ ଲେଖିଛନ୍ତି, ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କ ସହ କଥାବାର୍ତ୍ତା ହୋଇଛି। ଉଭୟ ଦେଶ ମଧ୍ୟରେ ସ୍ୱତନ୍ତ୍ର ରଣନୀତିକ ପାର୍ଟନରସିପ୍କୁ ଆହୁରି ଦୃଢ କରିବା ଉପରେ ଆଲୋଚନା କରାଯାଇଛି। ମୋଦି କହିଛନ୍ତି , ରୁଷ୍-ୟୁକ୍ରେନ୍ ସଂଘର୍ଷକୁ ନେଇ ମଧ୍ୟ ବିଚାରବିମର୍ଶ ହୋଇଛି ତଥା ୟୁକ୍ରେନକୁ ନିଜର ସଦ୍ୟ ଯାତ୍ରାରୁ ପ୍ରାପ୍ତ ଅନୁଭବ ବିଷୟରେ ଜଣାଇଛି। ସଂଘର୍ଷକୁ ନେଇ ଶୀଘ୍ର ଏକ ସ୍ଥାୟୀ ଓ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଭାରତର ଦୃଢ ପ୍ରତିବଦ୍ଧତା ଥିବା କଥା କହିଛି।
କହି ରଖୁଛୁ କି, ମୋଦି ସୋମବାର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ନିଜର ୟୁକ୍ରେନ ଯାତ୍ରା ବିଷୟରେ ସୂଚନା ଦେଇଥିଲେ। ଏହାସହ କଥାବାର୍ତ୍ତା ଓ କୂଟନୀତିକ ମାଧ୍ୟମରେ ଖୁବ୍ ଶୀଘ୍ର ଶାନ୍ତି ସ୍ଥାପନ ପାଇଁ ଭାରତର ପୂରା ସମର୍ଥନକୁ ଦର୍ଶାଇ ଥିଲେ।
ଉଲ୍ଲେଖନୀୟ ଯେ, କିଛି ମାସ ପୂର୍ବେ ମସ୍କୋରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଆଲିଙ୍ଗନ କରି ୟୁକ୍ରେନ୍ବାସୀଙ୍କୁ ନିରାଶ କରି ଦେଇ ଥିଲେ। ଜେଲେନସ୍କି ପ୍ରଧାନମନ୍ତ୍ରୀ ମୋଦି ଓ ପୁଟିନଙ୍କ ସାକ୍ଷାତ୍କୁ ଭୁଲ୍ ବାର୍ତ୍ତା ଦେଇ ଥିଲେ। ଏହାପରେ ପିଏମ୍ ମୋଦି ଗତ ଶୁକ୍ରବାର କିଭ୍ ଗସ୍ତ କରି ଥିଲେ। ୟୁକ୍ରେନ୍ ଗସ୍ତରେ ମୋଦି ଯୁଦ୍ଧ ଭୂମିକୁ ମଧ୍ୟ ଗସ୍ତ କରି ଥିଲେ। ମୋଦି ରାଷ୍ଟ୍ରପତି ଜେଲେନସ୍କିଙ୍କୁ କହିଥିଲେ, ଯୁଦ୍ଧ ମୈଦାନରେ କୌଣସି ବି ସମସ୍ୟାର ସମାଧାନ ବାହାରି ପାରିବ ନାହିଁ।