ସଂଚାର ବ୍ୟୁରୋ: ବିଧାୟକ ଓ ସାଂସଦଙ୍କୁ ଅଡୁଆ ହୋଇଛି ଶିକ୍ଷକଙ୍କ ବଦଳି ସୁପାରିସ୍ । ଶିକ୍ଷକଙ୍କ ବଦଳି ସୁପାରିସ୍ ପାଇଁ ଦିଆଯାଇଥିବା କ୍ଷମତା ପ୍ରତ୍ୟାହାର କରିବାକୁ ବିଧାୟକମାନେ ଦାବି କଲେଣି । ଏନେଇ ବିଜେଡି ବିଧାୟକ ଗଣେଶ୍ଵର ବେହେରା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି । ଚିଠି ଲେଖିବା ସହିତ ମନ୍ତ୍ରୀଙ୍କୁ ଭେଟିଛନ୍ତି ଗଣେଶ୍ବର । କହିଛନ୍ତି, ୧୫ଜଣ ଶିକ୍ଷକ ବଦଳି କ୍ଷମତା ବିଧାୟକଙ୍କୁ ଦେବା ବୁମେରାଙ୍ଗ ହେବ । ବଦଳି ପାଇଁ ଅନେକ ଶିକ୍ଷକୁ ଆସୁଥିବାବେଳେ ତାହା ବଡ଼ ସମସ୍ୟା ପାଲଟିଛି । ଯେଉଁମାନେ ୧୫ ତାଲିକାରେ ନ ଆସିବେ, ସେ ଆମକୁ କ୍ଷମା ଦେବେନି । ସେମାନେ ପରୋକ୍ଷରେ ଧମକ ଦେବା ଆରମ୍ଭ କରିଦେଲେଣି ।
ଆଗାମୀ କୌଣସି ରାଜନୈତିକ କାର୍ଯ୍ୟରେ ସେମାନେ ସହଯୋଗ କରିବେନି ବୋଲି ସିଧା କହିଲେଣି । ପାଞ୍ଚ ବର୍ଷରେ ଅନେକ ଶତ୍ରୁ ବାହାରିବେ । ତେଣୁ ଏହି କ୍ଷମତା ପ୍ରତ୍ୟାହାର କରାଯାଉ ବୋଲି ଗଣେଶ୍ବର ଦାବି କରିଛନ୍ତି । ଯାହାର ପ୍ରକୃତ ସମସ୍ୟା ଅଛି, ସେମାନଙ୍କ କଥା ବିଚାର ହେଉ ବୋଲି କହିଛନ୍ତି ଗଣେଶ୍ଵର । ସେପଟେ ଗଣେଶ୍ଵର ବେହେରାଙ୍କ ସହ ତାଳ ମିଳାଇଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି । ଶିକ୍ଷକ ବଦଳି ସୁପାରିସ ପାଇଁ ବିଧାୟକମାନଙ୍କୁ କ୍ଷମତା ଦେବା ଏକ କଦର୍ଯ୍ୟ ନିଷ୍ପତ୍ତି । ମୋ ପାଖକୁ ୫ଶହ ଶିକ୍ଷକଙ୍କ ତାଲିକା ଆସିଲାଣି । ମୁଁ ଜଣଙ୍କ ବି ସୁପାରିସ କରିନି କି କରିବି ନାହିଁ ବୋଲି କହିଛନ୍ତି ତାରା । ସେପଟେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ଯଦି କୌଣସି ବିଧାୟକ ସୁପାରିସ କ୍ଷମତା ଚାହୁଁ ନାହାନ୍ତି, ସେମାନେ ସୁପାରିସ ନ କରନ୍ତୁ । ନିୟମ ଅନୁସାରେ କାମ କରନ୍ତୁ । ନିୟମ ବାହାରେ କିଛି ନ ହେଉ ବୋଲି କହିଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।