ଚଳିତ ଆଇପିଏଲ୍ର ୫୮ତମ ଲିଗ୍ ମୁକାବିଲାରେ ଆଜି ପଞ୍ଜାବ ଘରୋଇ ଗ୍ରାଉଣ୍ଡ୍ରେ ମୁମ୍ବାଇକୁ ଭେଟିବ । କ୍ରମାନ୍ୱୟରେ ୪ଟି ମ୍ୟାଚ ପରାଜିତ ହୋଇ ସାରିଥିବା ପଞ୍ଜାବ ଆଜି ବିଜୟ ସହ ପ୍ଲେ-ଅଫ ପାଇଁ ଆଉ ପାଦେ ଆଗେଇବ । ମୁମ୍ବାଇ ପ୍ଲେ- ଅଫ୍ ଦୌଡ଼ରୁ ବାଦ ପଡ଼ି ସାରିଛି । ଆଜି ବିଜୟ ସହ ପୂର୍ବ ପରାଜୟର ପ୍ରତିଶୋଧ ନେଇ ପଞ୍ଜାବ ଯାତ୍ରାରେ ବାଧା ପହଞ୍ଚାଇବାକୁ ମୁମ୍ବାଇ ଚେଷ୍ଟା କରିବ ।
ଉଭୟ ଦଳ ଗତ ୧୬ ତାରିଖରେ ୱାଙ୍ଖଡ଼େ ଷ୍ଟାଡ଼ିୟମ୍ରେ ପରସ୍ପରକୁ ଭେଟିଥିଲେ । ପଞ୍ଜାବ ୭ ୱିକେଟ୍ରେ ଉକ୍ତ ମ୍ୟାଚ ଜିତିଥିଲା । ବର୍ତ୍ତମାନ ପଏଣ୍ଟ ତାଲିକାର ଚତୁର୍ଥ ସ୍ଥାନରେ ରହିଥିବା ପଞ୍ଜାବ ଆଜି ଜିତିଲେ ତୃତୀୟ ସ୍ଥାନ ଦଖଲ କରିବ । ପରାଜିତ ହେଲେ ୧୨ ପଏଣ୍ଟ ଲେଖାଏଁ ଅଜର୍ନ କରିସାରିଥିବା ଚେନ୍ନାଇ ଓ ରାଜସ୍ଥାନଙ୍କ ଆଶା ଦ୍ୱିଗୁଣା ହେବ । ତେଣୁ ପଞ୍ଜାବ ବିଜୟଧାରାକୁ ଫେରିବା ପାଇଁ ସବୁ ଶକ୍ତି ଲଗାଇବ ।
ମୁମ୍ବାଇକୁ ହରାଇବାକୁ ହେଲେ ବୋଲିଂ ବିଭାଗରେ ସୁଧାର ଆଣିବାକୁ ହେବ । ପଞ୍ଜାବ ନିୟମିତ ଭାବେ ବିସ୍ଫୋରକ ବ୍ୟାଟିଂ ଜାରି ରଖିଛି । ମାତ୍ର ବୋଲିଂ ବିଫଳତା ଯୋଗୁଁ ପରାଜିତ ହେଉଛି । ବିଶେଷ କରି ଡେଥ ଓଭରଗୁଡ଼ିକରେ ରନ୍ ଗତି ମନ୍ଥର କରିବା ମୁଖ୍ୟ କାର୍ଯ୍ୟ ହେବ ।
ଆଜି ପଞ୍ଜାବ ଦଳରେ ପରିବର୍ତ୍ତନ ସମ୍ଭାବନା ନାହିଁ । ମୁମ୍ବାଇ ମଧ୍ୟ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିନା ଗ୍ରାଉଣ୍ଡକୁ ଓହ୍ଲାଇବ । ସୂର୍ଯ୍ୟକୁମାର ଯାଦବ ମଧ୍ୟ ଦଳରେ ଯୋଗ ଦେଇ ନାହାନ୍ତି । ରାଏପୁର ମ୍ୟାଚ୍(ବେଙ୍ଗାଲୁରୁ ବିପକ୍ଷ) ପରେ ସେ ମୁମ୍ବାଇ ପ୍ରତ୍ୟାବର୍ତ୍ତନ କରିଥିଲେ । ଆଜି ସେ ଦଳରେ ଯୋଗ ଦେବା ସମ୍ଭାବନା ରହିଛି ।
ଏହି ମ୍ୟାଚ ପାଇଁ ପ୍ରସ୍ତୁତ କରାଯାଇଥିବା ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ ରହିବ । ପେସ୍ ବୋଲରମାନେ ଥଣ୍ଡା ଜଳବାୟୁର ଭରପୁର ଫାଇଦା ଉଠାଇ ପାରିବେ । ଗତ ପଞ୍ଜାବ ଓ ଦିଲ୍ଲୀ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ପେସ୍ ବୋଲରମାନେ ୩୯ ଓଭର ବୋଲିଂ କରିଥିଲେ । ଆଜି ମଧ୍ୟ ପେସ୍ ବୋଲରଙ୍କ ଉପରେ ଦଳର ଭାଗ୍ୟ ନିର୍ଭର କରିବ ।
