କାଳବୈଶାଖୀ ତାଣ୍ଡବରେ ମୟୂରଭଞ୍ଜି ଜିଲ୍ଲାରେ ବିଶେଷ କ୍ଷୟକ୍ଷତି ହୋଇଛି । ଖରା ଦିନେ ହୋଇଥିବା କୁଆପଥର ବର୍ଷାରେ ନଷ୍ଟ ହୋଇ ଯାଇଛି ଚାଷ । କ୍ଷୟକ୍ଷତି ଅନୁଧ୍ୟାନ କରିବାକୁ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଅଞ୍ଚଳକୁ ଯାଇଥିବା ବେଳେ ତାଙ୍କ କାରକେଡ୍କୁ ଢେଲା ମାଡ଼ କରିଛନ୍ତି ଦୁର୍ବୃତ୍ତ ।
ମିଳିଥିବା ସୂଚନା ଅନୁସାରେ, ସୋନାଯୋଡ଼ିଆ ଗାଁ ନିକଟ ରେଳ ଫାଟକ ନିକଟରେ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀଙ୍କ କାରକେଡ୍କୁ ଢେଲା ମାଡ଼ କରାଯାଇଛି । ରାସ୍ତା ଜାମ କରି ଉପଜିଲ୍ଲାପାଳଙ୍କୁ ଅଟକ ରଖିବା ସହ ପୋଲିସକୁ ଟଣାଓଟରା କରିଛନ୍ତି ଲୋକେ । ଢେଲା ମାଡ଼ରେ ପୋଲିସ କର୍ମଚାରୀଙ୍କ ମୁଣ୍ଡ ଫାଟିଥିବା ଜଣାପଡ଼ିଛି । ଏ ସବୁ ପାଇଁ ବିରୋଧୀଙ୍କୁ ଦାୟୀ କରିଛନ୍ତି ଲୋକେ ।
ବିଶୋଇ ବ୍ଳକର ୧୮ଟି ଗ୍ରାମ ଓ ବାଙ୍ଗିରିପୋଷି ବ୍ଳକର ୩୯ଟି ଗ୍ରାମ କାଳବୈଶାଖୀ ବର୍ଷାରେ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ରବିବାର ରାଜସ୍ୱ ମନ୍ତ୍ରୀ ଅଧିକାଂଶ ଗାଁକୁ ବୁଲି ଲୋକଙ୍କ ସମସ୍ୟା ବୁଝିବା ସହ କ୍ଷୟକ୍ଷତି ଅନୁଧ୍ୟାନ କରିଥିଲେ । କାଳବୈଶାଖୀ ପ୍ରଭାବିତ ଲୋକଙ୍କୁ କିଭଳି ସରକାରୀ ସହାୟତା ମିଳିପାରିବ ଏନେଇ ଗ୍ରାଉଣ୍ଡ ଜିରୋରେ ବୁଲି ଦେଖିଥିଲେ ।
କ୍ଷତିଗ୍ରସ୍ତଙ୍କୁ ୨ ଦିନ ମଧ୍ୟରେ ସମସ୍ତ ସାହାଯ୍ୟ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦିଆଯାଇଛି । ଅନଲାଇନ୍ ମାଧ୍ୟମରେ କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ଅର୍ଥ ତୁରନ୍ତ ପ୍ରଦାନ କରାଯିବ । ବାଙ୍ଗିରିପୋଷି ମିନି ଷ୍ଟାଡିୟମରୁ ହେଲିକପ୍ଟର ଯୋଗେ ବିଶୋଇ ଅଭିମୁଖେ ଯାଇଛନ୍ତି ରାଜସ୍ଵ ମନ୍ତ୍ରୀ ।

