୨୦୨୭ କ୍ରିକେଟ ବିଶ୍ବକପ ପୂର୍ବରୁ କ୍ରିକେଟ ଜଗତକୁ ଝଟକା। ଷ୍ଟାର ଅଲରାଉଣ୍ଡର ହଠାତ ଅବସର ନେଇ ସମସ୍ତଙ୍କୁ ଚକିତ କଲେ। ଅଷ୍ଟ୍ରେଲିଆର ବିସ୍ଫୋଟକ ଅଲରାଉଣ୍ଡର ଗ୍ଲେନ ମାକ୍ସଓ୍ବେଲ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସୋମବାର ବିଳମ୍ବିତ ରାତିରେ ସେ ନିଜେ ଏହି ସୂଚନା ଦେଇଛନ୍ତି। ମାକ୍ସଓ୍ବେଲ ଅଷ୍ଟ୍ରେଲିଆ ପାଇଁ ୨୮୬ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି, ଯେଉଁଥିରେ ସେ ୭୨୨୬ ରନ କରିବା ସହ ୧୩୬ଟି ଓ୍ବିକେଟ ନିଜ ନାଁରେ କରିଛନ୍ତି। ସେ ୨୦୧୫ ଏବଂ ୨୦୨୩ ମସିହାରେ ବିଶ୍ବକପ ବିଜେତା ଟିମରେ ପ୍ରମୁଖ ଅଂଶ ଥିଲେ। ଏହା ବ୍ୟତୀତ, ସେ ସେହି ଦଳର ମଧ୍ୟ ଅଂଶ ଥିଲେ ଯେଉଁ ଦଳ ୨୦୨୧ ମସିହାରେ ଟି-୨୦ ବିଶ୍ୱକପ୍ ଜିତିଥିଲା କିନ୍ତୁ, ସେ ବିଗ୍ ବ୍ୟାଶ୍ ଲିଗ୍ରେ ଖେଳିବା ଜାରି ରଖିବେ।
- ଗ୍ଲେନ୍ ମ୍ୟାକ୍ସୱେଲ୍ ଅବସର ଘୋଷଣା କଲେ
ଗ୍ଲେନ୍ ମ୍ୟାକ୍ସୱେଲ୍ ‘ଦ ଫାଇନାଲ୍ ୱାର୍ଡ’ (The Final Word) ପଡକାଷ୍ଟ ମାଧ୍ୟମରେ ନିଜର ଅବସର ଘୋଷଣା କରିଛନ୍ତି। ୨୦୧୨ ମସିହାରେ ନିଜର କ୍ୟାରିୟର ଆରମ୍ଭ କରିଥିବା ମ୍ୟାକ୍ସୱେଲଙ୍କ ୧୪ ବର୍ଷୀୟ କ୍ରୀଡ଼ା ଜୀବନର ଏବେ ଅନ୍ତ ଘଟିଛି। ମ୍ୟାକ୍ସୱେଲ୍ ଜଣାଇଛନ୍ତି ଯେ, ନିକଟରେ ଶେଷ ହୋଇଥିବା ଟି-୨୦ ବିଶ୍ୱକପ୍ ପରେ ସେ ନିଜ କ୍ୟାରିୟରକୁ ନେଇ ବିସ୍ତୃତ ଆଲୋଚନା କରିଥିଲେ। ଅଷ୍ଟ୍ରେଲୀୟ ଦଳ ପରିଚାଳନା କର୍ତ୍ତୃପକ୍ଷ ତାଙ୍କ ଉପରେ ଅବସର ନେବା ପାଇଁ କୌଣସି ଚାପ ପକାଇ ନଥିଲେ ଏବଂ ତାଙ୍କ ପାଇଁ ସୁଯୋଗର ଦ୍ୱାର ଖୋଲା ରଖିଥିଲେ। ମ୍ୟାକ୍ସୱେଲ୍ ବୁଝାଇ କହିଛନ୍ତି ଯେ, ଅଷ୍ଟ୍ରେଲୀୟ ଚୟନକର୍ତ୍ତାମାନେ ଭବିଷ୍ୟତକୁ ଦୃଷ୍ଟିରେ ରଖି ଆଗକୁ ବଢ଼ିବାକୁ ଚାହୁଁଛନ୍ତି।
- ଅବସରକାଳୀନ ମ୍ୟାଚ୍ ଖେଳିବାର ସୁଯୋଗ ନ ମିଳିବାରୁ ନିରାଶା
ଏକ ପଡକାଷ୍ଟରେ ଗ୍ଲେନ୍ ମ୍ୟାକ୍ସୱେଲ୍ ପ୍ରକାଶ କରିଛନ୍ତି ଯେ, ସେ ମେଲବୋର୍ନ କ୍ରିକେଟ୍ ଗ୍ରାଉଣ୍ଡ (MCG) ରେ ଅବସର ନେବାକୁ ଆଶା ରଖିଥିଲେ, କିନ୍ତୁ ସେହି ସୁଯୋଗ ମିଳିପାରିଲା ନାହିଁ। ମ୍ୟାକ୍ସୱେଲ୍ କହିଛନ୍ତି, “ମୋର ଆଶା ଥିଲା ଯେ ମୁଁ MCG ରେ ମୋର ବିଦାୟକାଳୀନ ମ୍ୟାଚ୍ ଖେଳିବି। ତଥାପି, ଅଷ୍ଟ୍ରେଲୀୟ ଦଳ ଯେଉଁ ଦିଗରେ ଆଗକୁ ବଢୁଛି, ମୁଁ ତାହା ବୁଝିପାରୁଛି। ଦଳରେ କ୍ରମାଗତ ପରିବର୍ତ୍ତନ ହେବ। ୨୦୨୮ ଅଲିମ୍ପିକ୍ସକୁ ଦୃଷ୍ଟିରେ ରଖି, ସେମାନେ ଆଗାମୀ ୧୨ ରୁ ୨୪ ମାସ ମଧ୍ୟରେ ଆନ୍ତର୍ଜାତୀୟ କ୍ରିକେଟରେ ଯୁବ ଖେଳାଳିମାନଙ୍କୁ ସୁଯୋଗ ଦେବାକୁ ଚାହୁଁଛନ୍ତି। ସେମାନଙ୍କୁ ଚାପର ମୁକାବିଲା କରିବା ପାଇଁ ପ୍ରସ୍ତୁତ କରାଯାଉଛି ଏପରି ଏକ ଚାପ ଯାହା BBL ମ୍ୟାଚ୍ଗୁଡ଼ିକରେ ଦେଖିବାକୁ ମିଳିବ ନାହିଁ।”
- ଆଫଗାନିସ୍ତାନ ବିପକ୍ଷରେ ୨୦୧ ରନର ପାଳି ସବୁବେଳେ ମନେ ରହିବ
୨୦୨୩ ମସିହା ଦିନିକକିଆ ବିଶ୍ବକପରେ ମାକ୍ସଓ୍ବେଲଙ୍କ ପାଳି ସବୁବେଳେ ମନେ ରହିବ। ଆଫଗାନିସ୍ତାନ ବିପକ୍ଷରେ ଅଷ୍ଟ୍ରେଲିଆର ମ୍ୟାଚ ଓ୍ବାଙ୍ଖଡେ ଗ୍ରାଉଣ୍ଡରେ ଥିଲା। ଆଉ ଏହି ମ୍ୟାଚରେ ମାକ୍ସଓ୍ବେଲ ବିପକ୍ଷ ଖେଳାଳିଙ୍କ ଧାଗା ଖୋଲିଦେଇଥିଲେ। ମାନେ ଧୂଆଁଧାର ମାଡ଼। ଅଷ୍ଟ୍ରେଲିଆ ୨୯୨ ରନ ଲକ୍ଷ୍ୟର ପିଛା କରି ୯୧ ରନରେ ୭ ଓ୍ବିକେଟ ହରାଇସାରିଥିଲା। ଟିମର ପରାସ୍ତ ଏକପ୍ରକାର ଜଳଜଳ ହୋଇ ଦିଶୁଥିଲା। କିନ୍ତୁ ଏକୁଟିଆ ମାକ୍ସଓ୍ବେଲ ଏହି ମ୍ୟାଚର ଗେମଚେଞ୍ଜର ପାଲଟିଥିଲେ।



