ସଂଚାର ବ୍ୟୁରୋ: ଧୀରେ ଧୀରେ ସୁଧୁରୁଛି ମଣିପୁର ସ୍ଥିତି। ଗତ ମଙ୍ଗଳବାରର ହିଂସାକାଣ୍ଡ ପରେ ପରିସ୍ଥିତିରେ ଉନ୍ନତି ଆସିଛି। ଉପତ୍ୟକାରେ ୫ଟି ଜିଲ୍ଲାରେ କର୍ଫ୍ୟୁ କୋହଳ କରିଛନ୍ତି ରାଜ୍ଯ ସରକାର। ଏହି ୫ଟି ଜିଲ୍ଲା ହେଲା ଇମ୍ଫାଲ ଇଷ୍ଟ, ଇମ୍ଫାଲ ୱେଷ୍ଟ, ତାଉବଲ, କାକଚିଙ୍ଗ ଓ ବିଷ୍ଣୁପୁର। ଏହା ସହିତ ଇଣ୍ଟରନେଟ୍ ଉପରେ ଲଗାଯାଇଥିବା କଟକଣାକୁ ଆଂଶିକ ପ୍ରତ୍ୟାହାର କରାଯାଇଛି। ମଣିପୁର ଗୃହ ବିଭାଗ ପକ୍ଷରୁ କୁହାଯାଇଛି-ସ୍ଥିତିରେ ଉନ୍ନତି ଆସିବାରୁ ଲୋକେ ଯେମିତି ଅତ୍ଯାବଶ୍ଯକ ସାମଗ୍ରୀ କିଣାକିଣି କରିବେ, ସେଥିପାଇଁ କର୍ଫ୍ୟୁକୁ କୋହଳ କରାଯାଇଛି। ତେବେ କେହି ଶୋଭାଯାତ୍ରା କରିପାରିବେ ନାହିଁ କି ଧାରଣା ଦେଇପାରିବେ ନାହିଁ। ଏହା ଉପରେ ଏବେ ବି କଟକଣା ଅଛି। କେନ୍ଦ୍ରୀୟ ଫୋର୍ସ ପ୍ରତ୍ଯାହାର ଦାବିରେ ଗତ ମଙ୍ଗଳବାର ବିକ୍ଷୋଭ କରିଥିଲେ ବିଭିନ୍ନ ଛାତ୍ର ସଂଗଠନ। ସେମାନଙ୍କୁ ଘଉଡ଼ାଇବାକୁ ଚେଷ୍ଟା କରି ପୋଲିସ ବଳ ପ୍ରୟୋଗ କରିବାରୁ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଆହତ ହୋଇଥିଲେ ୫୦ରୁ ଅଧିକ ଛାତ୍ର। ଏହା ପରେ କର୍ଫ୍ଯୁ ଜାରି କରାଯାଇଥିଲା।