ସଂଚାର ବ୍ୟୁରୋ: ମଣିପୁରରେ ଲାଗୁ ହେଲା ରାଷ୍ଟ୍ରପତି ଶାସନ। ରାଷ୍ଟ୍ରପତି ଶାସନ ଲାଗୁ କରିଛନ୍ତି କେନ୍ଦ୍ର ସରକାର। ଗତ ୯ ତାରିଖରେ ଇସ୍ତଫା ଦେଇଥିଲେ ମଣିପୁର ମୁଖ୍ୟମନ୍ତ୍ରୀ। ବୀରେନ ସିଂଙ୍କ ଇସ୍ତଫା ପରେ ମଣିପୁରରେ ଲାଗୁ ହୋଇଛି ରାଷ୍ଟ୍ରପତି ଶାସନ। ଦୁଇ ବର୍ଷ ଧରି ଅଶାନ୍ତ ରହିଛି ମଣିପୁର। ମଣିପୁର ହିଂସାରେ ୨ ଶହରୁ ଅଧିକ ଜୀବନ ଯାଇଥିବା ବେଳେ, ବାସଚ୍ଯୁତ ହେଲେଣି ୬୦ ହଜାର ଲୋକ। ତେବେ କିଏ ହେବ ମଣିପୁରର ଆଗାମୀ ମୁଖ୍ୟମନ୍ତ୍ରୀ ? ଏମିତି କିଛି ପ୍ରଶ୍ନ ଏବେ ସାଧାରଣ ଲୋକଙ୍କ ମନରେ ଉଙ୍କି ମାରୁଛି । କାରଣ ମଣିପୁରରେ ଦୀର୍ଘ ଦିନ ଧରି ରାଜନୈତିକ ଅସ୍ଥିରତା ଲାଗି ରହିଛି। ଏହାରି ଭିତରେ ନୂଆ ମୁଖ୍ୟମନ୍ତ୍ରୀ ବାଛିବା ପାଇଁ କେନ୍ଦ୍ରୀୟ ନେତୃତ୍ୱ ବି ସମୟ ନେଉଛି । ଦେଖିବାକୁ ଗଲେ ଦଳରେ ସେମିତି କୌଣସି ଟାଣୁଆ ନେତା ନାହାନ୍ତି, ଯାହାଙ୍କ ପାଖରେ ଅଧିକାଂଶ ବିଧାୟକଙ୍କ ସମର୍ଥନ ରହୁଥିବ। କ୍ରମାଗତ ଭାବେ ୨ ବର୍ଷ ହେଲା ମଣିପୁରରେ ଜାରି ରହିଛି ହିଂସା । ଜାତିଗତ ହିଂସାରେ ଗଲାଣି ୨ଶହରୁ ଅଧିକ ଜୀବନ । ଏଥିସହ ୬୦ ହଜାରରୁ ଅଧିକ ଲୋକେ ବିସ୍ଥାପିତ ହୋଇଛନ୍ତି । ଗତ ୨ ବର୍ଷ ହେବ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଇଁ ଏହା ମୁଣ୍ଡବିନ୍ଧାର କାରଣ ପାଲଟିଛି । ରାଜ୍ୟରେ ମୈତେଇ ଏବଂ କୁକି ସମ୍ପ୍ରଦାୟ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଅନେକ ହିଂସାତ୍ମକ ସଂଘର୍ଷର କାରଣ ହୋଇଛି। ଯେଉଁଥିରେ ଶହ ଶହ ଲୋକଙ୍କ ଜୀବନ ଯାଇଛି ଏବଂ ହଜାର ହଜାର ଲୋକଙ୍କୁ ସେମାନଙ୍କ ଘରୁ ଛାଡିବାକୁ ବାଧ୍ୟ କରାଯାଇଛି। ସେପଟେ ହିଂସା ନିୟନ୍ତ୍ରଣ କରିବାରେ ଅସମର୍ଥ ହୋଇପଡିଥିଲେ ବିରେନ୍ । ଏପରିକି ବିଜେପି ବିଧାୟକ ମାନେ ବି ବିରେନ୍ ସିଂଙ୍କ ପ୍ରତି ଅସନ୍ତୋଷ ଥିଲେ । ଗତ ବର୍ଷ ଅକ୍ଟୋବରରେ ମଣିପୁରର ୧୯ ଜଣ ଭାଜପା ବିଧାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖି ଏନ ବୀରେନ ସିଂହଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ବହିଷ୍କାର କରିବାକୁ ଦାବି କରିଥିଲେ।