ମଣିପୁର ପ୍ରସଙ୍ଗରେ କେନ୍ଦ୍ର ଗୃହ ମନ୍ତ୍ରାଳୟର ଉଚ୍ଚସ୍ତରୀୟ ବୈଠକ। ଆସନ୍ତା ୮ରୁ ରାଜ୍ଯରେ ଅବାଧ ଚଳାଚଳ ଦିଗରେ ପଦକ୍ଷେପ ନେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ରାଜ୍ୟର ସମସ୍ତ ରାସ୍ତାରେ ଯେପରି ଲୋକେ ମୁକ୍ତ ଭାବେ ଚଳାଚଳ କରିପାରିବେ ସେଥିଲାଗି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ଗୃହମନ୍ତ୍ରୀ। ଯେଉଁମାନେ ରାସ୍ତା ଅବରୋଧ କରିବେ କିମ୍ବା ସାଧାରଣ ଚଳାଚଳ ଉପରେ ପ୍ରତିବନ୍ଧକ ସୃଷ୍ଟି କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ଶାହ। ଏହା ସହ ମଣିପୁରର ଅନ୍ତର୍ଜାତୀୟ ସୀମାରେ ଥିବା ପ୍ରବେଶ ସ୍ଥଳଗୁଡିକରେ ତାରବାଡ ଯଥାଶୀଘ୍ର ସାରିବା ଲାଗି ସେ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ଯରେ ରାଷ୍ଟ୍ରପତି ଶାସନ ଜାରି ହେବା ପରେ ଏହି ବୈଠକ ବସିଥିଲା। ଏହା ସହ ରାଜ୍ୟର ସୁରକ୍ଷା ପ୍ରସଙ୍ଗର ସମୀକ୍ଷା କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ। ବୈଠକରେ ମଣିପୁର ରାଜ୍ୟପାଳ ଅଜୟ ଭାଲ୍ଲାଙ୍କ ସମେତ ବହୁ ଅଧିକାରୀ ସାମିଲ ଥିଲେ।