ସଂଚାର ବ୍ୟୁରୋ: ପୁଣି ଦିଲ୍ଲୀ ଗଲେ ମନମୋହନ । ଦିଲ୍ଲୀ ଗସ୍ତରେ ଯାଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଦିନକ ପୂର୍ବରୁ ଦିଲ୍ଲୀ ଗସ୍ତରୁ ଫେରିଥିଲେ ମନମୋହନ। ପୂର୍ବ ଗସ୍ତରେ ବିଜେପି କେନ୍ଦ୍ରୀୟ ନେତୃତ୍ବଙ୍କ ସହ ଆଲୋଚନା କରିଥିଲେ । ପୁଣି ଥରେ ଦିଲ୍ଲୀ ଯିବା ପରେ ବଢିଛି ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଚର୍ଚ୍ଚା । ମୁଖ୍ୟମନ୍ତ୍ରୀ ମୋହନ ମାଝି ମଧ୍ୟ ଦିଲ୍ଲୀ ଗସ୍ତ କରିବେ ।
ସୂଚନା ଅନୁଯାୟୀ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଓ ଦଳୀୟ ସଭାପତି ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ବାସଭବନରେ ଦଳର ସମସ୍ତ ସାଂସଦଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ସେପ୍ଟେମ୍ବର ୧୨ରେ ମୋହନ ସରକାରକୁ ୧୫ ମାସ ପୁରିବ । କିନ୍ତୁ ଏପର୍ଯ୍ୟନ୍ତ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହୋଇପାରିନାହିଁ । ତେଣୁ କେବେ ବଦଳିବ ମନ୍ତ୍ରିମଣ୍ଡଳର ରୂପରେଖ ତା ଉପରେ ସମସ୍ତଙ୍କ ନଜର ରହିଛି ।