ସଂଚାର ବ୍ୟୁରୋ: ମାଓ ସଙ୍ଗଠନ ବିରୋଧରେ ଲାଗିଲା ପୋଷ୍ଟର। ମାଲକାନଗିରି ଜିଲାର ସ୍ୱାଭିମାନ ଅଞ୍ଚଳ, ମାଥିଲି ବ୍ଲକର ବିଭିନ୍ନ ଅଞ୍ଚଳ ସହ ଅନେକ ସ୍ଥାନରେ ଏହି ପୋଷ୍ଟର ଦେଖିବାକୁ ମିଳିଛି। ଆଦିବାସୀ ସୁରକ୍ଷା ମଞ୍ଚ ଅବିଭକ୍ତ କୋରାପୁଟ ଜିଲା ପକ୍ଷରୁ ଏହି ପୋଷ୍ଟର ଲଗାଯାଇଥିବା ଏଥିରେ ଉଲ୍ଲେଖ ରହିଛି।
ଏଥିରେ ଲେଖାଯାଇଛି ଯେ, ମାଲକାନଗିରି ଜିଲାରେ ଦୀର୍ଘବର୍ଷ ଧରି ଅନେକ ଅଞ୍ଚଳର ଯୁବକ ଯୁବତୀମାନେ ନକ୍ସଲ ସଂଗଠନ ସହିତ ସାମିଲ ହୋଇ ନିଜ ବାପାମାଆ ଘର ଦ୍ବାର ଛାଡ଼ି ବହୁ କଷ୍ଟ ସହି, ଅଣ ଆଦିବାସୀ ଓ ଅଣ ଓଡ଼ିଆ ନକ୍ସଲ ନେତା ନେତ୍ରୀଙ୍କ ଦ୍ବାରା ନିର୍ଯାତିତ ହୋଇ ବର୍ତମାନ ବାହାର ରାଜ୍ୟର ଜଙ୍ଗଲ ପାହାଡ଼ରେ ଲୁଚି ଛପି ରହିବାକୁ ବାଧ୍ୟ ହେଉଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ଛତିଶଗଡ଼, ତେଲଙ୍ଗାନା ଓ ମହାରାଷ୍ଟ୍ର ଭଳି ରାଜ୍ୟମାନଙ୍କରେ ସୁରକ୍ଷା କର୍ମୀମାନଙ୍କ ସହିତ ମାଓ ସଂଗଠନର ମୁକାବିଲାରେ ବହୁ ସଂଖ୍ୟାରେ ମାଓବାଦୀ ସଂଗଠନରେ ଥିବା ଆଦିବାସୀ ନିଜ ଜୀବନ ହରାଉଛନ୍ତି। ତେଣୁ ଅବିଭକ୍ତ କୋରାପୁଟ ଜିଲା ଆଦିବାସୀ ସୁରକ୍ଷା ସମିତି ତରଫରୁ ସମସ୍ତଙ୍କୁ ଅନୁରୋଧ କରଯାଇଛି ଯେ, ରାଜ୍ୟ ସରକାରଙ୍କ ଆତ୍ମସମର୍ପଣ ଓ ପୁନଃ ଥଇଥାନ ନୀତିର ଲାଭ ଉଠାନ୍ତୁ ଏବଂ ସମାଜର ମୁଖ୍ୟ ସ୍ରୋତରେ ନିଜକୁ ସାମିଲ କରି ନିଜ ଜନ୍ମମାଟିକୁ ଫେରି ଏକ ସୁସ୍ଥ ଓ ସୁରକ୍ଷିତ ଜୀବନ ଆପଣାଇ ନିଅନ୍ତୁ।
ପୋଷ୍ଟରରେ ଆହୁରି ଉଲ୍ଲେଖ ଅଛି ଯେ, ବାରମ୍ବାର ଦେଖାଯାଉଛି ମାଓ ସଂଗଠନରେ ଥିବା ବଡ଼ ନେତାମାନେ ଆଦିବାସୀ ଓ ପଛୁଆ ଜାତି ତଥା ଛୋଟ ସଦସ୍ୟମାନଙ୍କୁ ତାଙ୍କ ନିଜ କାମ କରାଇବା ସହ ଶୋଷଣ କରୁଛନ୍ତି। ଝିଅମାନଙ୍କୁ ମଧ୍ୟ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରୁଛନ୍ତି।