ମହାରାଷ୍ଟ୍ରରେ ଥମୁନି ମହାୟୁତି ବିବାଦ। ପୁଣି ନାଲିଆଖି ଦେଖାଇଲେ ଉପମୁଖ୍ଯମନ୍ତ୍ରୀ ଏକନାଥ ସିନ୍ଦେ। କହିଛନ୍ତି- ତାଙ୍କୁ ହାଲୁକା ଭାବେ କେହି ଗ୍ରହଣ କରନ୍ତୁ ନାହିଁ। ୨୦୨୨ରେ ତାଙ୍କୁ ସମସ୍ତେ ହାଲୁକା ଭାବେ ନେଇଥିଲେ। ମାତ୍ର ସେ ତତକାଳୀନ ଉଦ୍ଧବ ଠାକରେ ସରକାରର ପତନ ଘଟାଇବାକୁ ସକ୍ଷମ ହୋଇଥିଲେ। ସିନ୍ଦେ ମୁଖ୍ଯମନ୍ତ୍ରୀ ଥିବାବେଳେ ସେ ଜଲନାରେ ଅନୁମୋଦନ କରିଥିବା ୯୦୦ କୋଟି ଟଙ୍କାର ପ୍ରକଳ୍ପକୁ ବର୍ତ୍ତମାନର ଫଡଣବିସ ସରକାର ରଦ୍ଦ କରିଦେବା ପରେ ରକ୍ତମୁଖା ହୋଇଛନ୍ତି ସିନ୍ଦେ। ଏପରିକି ପ୍ରକଳ୍ପର ବୈଧତା ଓ ଆଭିମୁଖ୍ଯ ସମ୍ପର୍କରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଫଡଣବିସ। ସିନ୍ଦେ କହିଛନ୍ତି- ସେ ଜଣେ ସାଧାରଣ ଦଳୀୟ କର୍ମୀ କିନ୍ତୁ ସେ ମଧ୍ଯ ବାଲାସାହେବଙ୍କ ଆଦର୍ଶରେ ଅନୁପ୍ରାଣୀତ ଜଣେ କର୍ମୀ। ତେଣୁ ତାଙ୍କୁ ହାଲୁକା ଭାବେ ଗ୍ରହଣ କରିବା ଅନୁଚିତ। ୨୦୨୨ରେ ୪୦ ବିଧାୟକଙ୍କୁ ନେଇ ମୂଳ ଶିବସେନାରୁ ଅଲଗା ହୋଇଥିବା ସିନ୍ଦେଙ୍କୁ ପ୍ରକୃତ ଶିବସେନାର ମାନ୍ୟତା ମିଳିଥିଲା। ଏହା ସହ ସେ ଉଦ୍ଧବ ଠାକରେଙ୍କୁ ଗାଦିରୁ ହଟାଇ ବିଜେପି ସମର୍ଥନରେ ମୁଖ୍ଯମନ୍ତ୍ରୀ ହୋଇଥିଲେ। ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ବିଜେପିର ୧୩୨, ଶିବସେନାର ୫୭ ଓ ଅଜିତ ପାୱାର ନେତୃତ୍ବାଧୀନ ଏନସିପିର ଅଛନ୍ତି ୪୧ ବିଧାୟକ। ପୂର୍ବରୁ ଲାଗ୍ ଲାଗ୍ ୩ଟି ସରକାରୀ କାର୍ଯ୍ୟକ୍ରମରେ ସିନ୍ଦେ ଯୋଗ ଦେଇ ନଥିବାରୁ ଏହାକୁ ନେଇ ରାଜ୍ଯ ରାଜନୀତି ହୋଇଥିଲା ସରଗରମ।