ମୁମ୍ବାଇ : ମହାରାଷ୍ଟ୍ରରେ ନବଗଠିତ ବିଜେପି ମେଣ୍ଟ ସରକାରକୁ ତିନି ମାସ ପୂରିନି, କିନ୍ତୁ ଅଂଶୀଦାରମାନଙ୍କ ମଧ୍ୟରେ ବିବାଦ ତୀବ୍ର ହେବାରେ ଲାଗିଛି। ବିଶେଷ କରି ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଶାୟୀ ଥିବା ଶିବ ସେନା ମୁଖ୍ୟ ତଥା ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଥମିବାର ନାଁ ଧରୁନି। ଗତ ନିର୍ବାଚନ ପରେ ସରକାର ଗଠନରେ ଦୀର୍ଘ ଦିନ ଧରି କେଁ ପୂରାଇଥିବା ସିନ୍ଦେଙ୍କ ଉପରେ ଅଙ୍କୁଶ ଲଗାଇବା ଲାଗି ଫଡନାଭିସ ସବୁ ପ୍ରକାର ଶକ୍ତି ଖଟାଇବା ଆରମ୍ଭ କରିଛନ୍ତି। ପ୍ରଥମେ ସିନ୍ଦେଙ୍କ ମନ୍ତ୍ରୀଙ୍କୁ ଜିଲ୍ଲା ଦାୟିତ୍ବ ଦେବାକୁ ମନା କରିଥିବା ଫଡ୍ନାଭିସ ଆଜି ସେନାର ୨୦ ଜଣ ବିଧାୟକଙ୍କ ଠାରୁ ୱାଇ-ସୁରକ୍ଷା ବ୍ୟବସ୍ଥା କାଢ଼ି ନେଇଛନ୍ତି। ଏହାକୁ ନେଇ ସିନ୍ଦେ ଭୀଷଣ କ୍ଷୁବ୍ଧ ହେବା ସହିତ ତାଙ୍କର ପରବର୍ତ୍ତୀ ରଣନୀତି ସଂପର୍କରେ ନିଜର ସହଯୋଗୀମାନଙ୍କ ସହିତ ବିଚାର ଆଲାଚନା କରୁଛନ୍ତି। ଖୁବଶୀଘ୍ର ମହାରାଷ୍ଟ୍ର ରାଜନୀତିରେ ଏକ ବଡ଼ ଧରଣର ଧମାକା ହୋଇପାରେ ବୋଲି କୁହାଯାଉଛି।
ସୂଚନାଯୋଗ୍ୟ ଯେ ୨୦୨୨େର ଶିବ ସେନାରେ ବିଦ୍ରୋହ କରିଥିବା ସିନ୍ଦେଙ୍କ ନେତୃତ୍ବରେ ୪୪ ଜଣ ବିଧାୟକ ଏବଂ ୧୧ ଲୋକସଭା ସାଂସଦ ବିଜେପିକୁ ସମର୍ଥନ କରିଥିଲେ। ସେମାନଙ୍କୁ ରାଜ୍ୟ ସରକାର ୱାଇ-ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରିଥିଲେ। ଏବେ ସେମାନଙ୍କ ଠାରୁ ଏହି ସୁରକ୍ଷା ବ୍ୟବସ୍ଥା କାଢ଼ି ନିଆଯାଇଛି। ଏପରିକି ସି॥ନ୍ଦେଙ୍କ ଘନିଷ୍ଠ ସହଯୋଗୀଙ୍କ ଠାରୁ ମଧ୍ୟ ସୁରକ୍ଷା କାଢ଼ି ନିଆଯାଇଛି। ଏହାକୁ ନେଇ ସିନ୍ଦେ କ୍ଷୁବ୍ଧ ହୋଇଥିବା ବେଳେ ଫଡନାଭିସ କିନ୍ତୁ ଏହାକୁ ବିଶେଷ ଗୁରୁତ୍ବ ଦେଉ ନାହାନ୍ତି। ତାଙ୍କ ପକ୍ଷରୁ କୁହାଯାଇଛି ଯେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ପରେ ଏହି ନିଷ୍ପତ୍ତି ନିଆଯାଇଛି। କେବଳ ଶିବ ସେନା ନୁହେଁ, ବିଜେପି ଏବଂ ଏନସିପି ବିଧାୟକ/ ମନ୍ତ୍ରୀଙ୍କ ଠାରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା କାଢ଼ି ନିଆଯାଇଛି। ୨୦୨୨ରେ ବିଦ୍ରୋହ ବେଳେ ସେମାନଙ୍କ ପ୍ରତି ବିପଦ ଥିବାରୁ ସୁରକ୍ଷା ଦିଆଯାଇଥିଲା। ଏବେ କିନ୍ତୁ ସେମାନଙ୍କ ପ୍ରତି ବିପଦ ନଥିବାରୁ ସୁରକ୍ଷା କାଢ଼ି ନିଆଯାଇଛି। କିନ୍ତୁ ସିନ୍ଦେ ଗୋଷ୍ଠୀ ଫଡନାଭିସଙ୍କ ଏହି ଯୁକ୍ତିକୁ ମାନିବାକୁ ପ୍ରସ୍ତୁତ ନୁହନ୍ତି। ସେନାର ଜଣେ ନେତା କହିଛନ୍ତି ଯେ କିଛି ହାତ ଗଣତି ବିଜେପି ଓ ଏନ୍ସିପି ନେତାଙ୍କ ଠାରୁ ସୁରକ୍ଷା କାଢ଼ି ନିଆଯାଇଛି।

