ସଂଚାର ବ୍ୟୁରୋ: ମହାରାଷ୍ଟ୍ର ଓ କର୍ଣ୍ଣାଟକ ମଧ୍ଯରେ ମରାଠୀ ଓ କନ୍ନଡ ଭାଷାକୁ ନେଇ ବିବାଦ ବଢିବା ପରେ କର୍ଣ୍ଣାଟକ ବେଲଗାଭିରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ବେଲଗାଭିକୁ ପୋଲିସ ଛାଉଣୀରେ ରଖାଯାଇଛି। ତେଣେ ମରାଠୀ ସପକ୍ଷବାଦୀଙ୍କ ମାଡରେ ଆହତ ହୋଇଥିବା ଜଣେ ବସ୍ କଣ୍ଡକ୍ଟରଙ୍କ ଚିକିତ୍ସା ହସ୍ପିଟାଲରେ ଚାଲିଛି। ଗତ ୨୩ ତାରିଖରେ ମହାରାଷ୍ଟ୍ର ରାଜ୍ଯ ପରିବହନ ନିଗମ ବା ଏମଏସଆରଟିସିର ଏକ ବସ ଉପରେ କର୍ଣ୍ଣାଟକ ଚିତ୍ରଦୁର୍ଗରେ ନବନିର୍ମାଣ ସେନା ପକ୍ଷରୁ ଆକ୍ରମଣ ହେବା ପରେ କର୍ଣ୍ଣାଟକକୁ ସମସ୍ତ ସରକାରୀ ବସ୍ ଚଳାଚଳ ବନ୍ଦ କରାଯାଇଥିଲା। ଆକ୍ରମଣର ସମ୍ମୁଖୀନ ହୋଇଥିବା ବସଟି ବେଙ୍ଗାଳୁରୁରୁ ମୁମ୍ବାଇ ଆସୁଥିବାବେଳେ କନ୍ନଡ ସପକ୍ଷବାଦୀ କର୍ମୀମାନେ ଆକ୍ରମଣ କରିଥିଲେ। ବସର ଡ୍ରାଇଭରଙ୍କ ମୁହଁରେ ବି କର୍ମୀମାନେ କଳା ବୋଳିଦେଇଥିଲେ। କର୍ଣ୍ଣାଟକର ବେଲଗାଭି ରହିଛି ମହାରାଷ୍ଟ୍ର ସୀମା ନିକଟରେ ଏବଂ ସେଠାରେ ବହୁଳ ଭାବେ ମରାଠୀ ବାସ କରନ୍ତି। ଏହି ଜିଲ୍ଲାକୁ ମହାରାଷ୍ଟ୍ର ସହ ମିଶାଇବା ଲାଗି ଦାବି ଜୋର ଧରିଛି। ମରାଠୀ ସମ୍ପ୍ରଦାୟଙ୍କ ଦାବିକୁ କନ୍ନଡ ଭାଷାଭାଷୀ ବିରୋଧ କରୁଛନ୍ତି।