ସଂଚାର ବ୍ୟୁରୋ: ମହାରାଷ୍ଟ୍ରରେ ଏକାଠି ହୋଇପାରନ୍ତି ଶିବସେନା(ୟୁବିଟି) ଓ ନବନିର୍ମାଣ ସେନା। ୨୦୦୫ରେ ଠାକରେ ପରିବାରର ସଦସ୍ୟ ତଥା ଉଦ୍ଧବ ଠାକରେଙ୍କ ଭାଇ ରାଜ ଠାକରେ ଗଠନ କରିଥିଲେ ନବ ନିର୍ମାଣ ସେନା। ମାତ୍ର ଦୀର୍ଘ ଦିନ ଧରି ରାଜନୀତିର ସଫଳତା ହାସଲରେ ବିଫଳ ପରେ ଖୁବ୍ ଶୀଘ୍ର ରାଜ ଠାକରେ ନୂଆ ନିଷ୍ପତ୍ତି ଗ୍ରହଣ କରିବା ସମ୍ଭାବନା ରହିଛି। ମହାରାଷ୍ଟ୍ରର ଭାଷାଗତ ଓ ସାଂସ୍କୃତିକ ସ୍ବାର୍ଥକୁ ଅଗ୍ରାଧିକାର ଦେବା ଲକ୍ଷ୍ଯରେ ଦୁଇ ନେତା ଏକାଠି ହେବାକୁ ଯାଉଥିବା ଚର୍ଚ୍ଚା ହେଉଛି। ରାଜନୈତିକ ସ୍ବାର୍ଥ ଅପେକ୍ଷା ମହାରାଷ୍ଟ୍ରର ସ୍ବାର୍ଥକୁ ଦୁଇ ନେତା ଅଗ୍ରାଧିକାର ଦେବା ଦେଖାଯାଇଛି। ଏକ ସାକ୍ଷାତକାରରେ ରାଜ ଠାକରେ କହିଛନ୍ତି- ଉଦ୍ଧବଙ୍କ ସହ ତାଙ୍କର ମାମୁଲି ମତପାର୍ଥକ୍ଯ ରହିଛି।
ମାତ୍ର ମହାରାଷ୍ଟ୍ରର ସ୍ବାର୍ଥ ସର୍ବାଗ୍ରେ ରହିଛି। ମହାଠାମାନଙ୍କ ବୃହତ ସ୍ବାର୍ଥ ଦୃଷ୍ଟିରୁ ସେ ବିକଳ୍ପ ପଦକ୍ଷେପ ନେବାର ସମ୍ଭାବନା ରହିଛି। ତେଣେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ସମ୍ଭାବ୍ୟ ବୁଝାମଣାକୁ ସ୍ବାଗତ କରିଥିବାବେଳେ ସେମାନେ କ୍ଷମତାକୁ ଆସିବା ସମ୍ଭବ ନୁହେଁ ବୋଲି କହିଛନ୍ତି। ଠାକରେ ପରିବାରର ସମ୍ଭାବ୍ୟ ମିଳନକୁ ସ୍ବାଗତ କରିଛନ୍ତି ଏନସିପି ଏସପି ନେତ୍ରୀ ସୁପ୍ରିୟା ସୁଲେ। ଶିବସେନା ସାଂସଦ ସଞ୍ଜୟ ନିରୁପମ କହିଛନ୍ତି- ଦୁଇଟି ଶୂନ ମିଶିଲେ ବି ଫଳ ଗୋଟିଏ ଶୂନ ହେବ। ୨୦୨୨ରେ ମୂଳ ଶିବସେନାରୁ ଏକନାଥ ସିନ୍ଦେ ଅଲଗା ହୋଇ ଯିବା ପରେ ଶିବସେନା ଦୁର୍ବଳ ହୋଇପଡିଥିଲା। ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନରେ ଦଳ ଆଶାନୁରୂପ ପ୍ରଦର୍ଶନ କରିପାରି ନଥିଲା। ରାଜ ଠାକରେ କହିଛନ୍ତି ତାଙ୍କ ସହ ଶିବସେନା ବିଧାୟକ ଓ ସାଂସଦମାନେ ଥିବାବେଳେ ସେ ଶିବସେନା ପରିତ୍ୟାଗ କରିଥିଲେ।
ସେ ବାଲ ଠାକରେଙ୍କ ବ୍ଯତୀତ ଅନ୍ୟ କାହା ନିକଟରେ କାମ କରିବାକୁ ଚାହିଁ ନଥିଲେ। ଏବେ ଉଦ୍ଧବଙ୍କ ସହ କାମ କରିବାରେ ତାଙ୍କର କିଛି ଆପତ୍ତି ନାହିଁ। ସେପଟେ ଉଦ୍ଧବ କହିଛନ୍ତି ମହାରାଷ୍ଟ୍ରର ସ୍ବାର୍ଥ ଲାଗି ସମସ୍ତ ମହାରାଷ୍ଟ୍ରବାସୀ ଏକ ହୁଅନ୍ତୁ। ବର୍ତ୍ତମାନ ଗୁଜରାଟକୁ ବୃହତ ଶିଳ୍ପଗୁଡିକୁ ନିଆଯାଉଛି। ଯଦି ମହାରାଷ୍ଟ୍ରବାସୀ ଏକାଠି ହେବେ ତେବେ ଏହା ଘଟିବ ନାହିଁ। ମହାରାଷ୍ଟ୍ରର ସ୍ବାର୍ଥ ଲାଗି ଯିଏ ଆସିବେ ତାଙ୍କୁ ସେ ଗ୍ରହଣ କରିବେ ବୋଲି କହିଛନ୍ତି ଉଦ୍ଧବ। ମହାରାଷ୍ଟ୍ରରେ ସମସ୍ତ ମରାଠୀ ଓ ଇଂରାଜୀ ମିଡିୟମ ସ୍କୁଲରେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ଯାଏ ହିନ୍ଦିକୁ ବାଧ୍ୟତାମୂଳକ ବିଷୟ କରାଯାଇଛି। ଏହାକୁ ନେଇ ରାଜନୀତି ଜୋର ଧରିଛି। ଏହାକୁ ଉଭୟ ରାଜ ଠାକରେ ଓ ଉଦ୍ଧବ ଠାକରେ ବିରୋଧ କରୁଛନ୍ତି। ସେପଟେ ଠାକରେ ବ୍ରଦର୍ସଙ୍କ ନିଷ୍ପତ୍ତି ଉପରେ ସବୁକିଛି ନିର୍ଭର କରେ ବୋଲି କହିଛନ୍ତି ଶିବସେନା ୟୁବିଟି ନେତା ସଞ୍ଜୟ ରାଓତ।…