ପୁଣି ଉଚ୍ଛୁଳିବ ମହାନଦୀ। ଗତକାଲି ହୀରାକୁଦ ଖୋଲିଥିବା ୨୨ଟି ଗେଟର ବନ୍ୟାଜଳ ଆସି ମୁଣ୍ଡଳୀ ପହଞ୍ଚିବ। ଫଳରେ ବନ୍ୟା ଆଶଙ୍କା ଦେଖାଦେଇଛି। ଆଜି ସକାଳ ୬ଟା ସୁଦ୍ଧା ୭ ଲକ୍ଷ ୨୫ ହଜାର କ୍ୟୁସେକ ବନ୍ୟାଜଳ ମୁଣ୍ଡଳୀ ଦେଇ ପ୍ରବାହିତ ହେଉଛି। ଉପର ମୁଣ୍ଡରେ ୯୧.୯୦ ଫୁଟ ଜଳସ୍ତର ରହିଥିବା ବେଳେ ତଳ ମୁଣ୍ତରେ ୮୯.୦୦ ଫୁଟ ଜଳସ୍ତର ରହିଛି। ବିପଦ ସଂକେତ ତଳେ ରହିଥିଲେ ବି ତଳିଆ ଅଞ୍ଚଳବାସୀଙ୍କ ପାଇଁ ବିପଦ ରହିଛି। ମହାନଦୀ ଓ ଏହାର ଶାଖା ନଦୀରେ ମାଧ୍ୟମ ଧରଣର ବନ୍ୟା ଆଶଙ୍କା କରିଛି ଜଳସମ୍ପଦ ବିଭାଗ।
ଜଳସମ୍ପଦ ବିଭାଗର ସୂଚନା ଅନୁସାରେ, ମହାନଦୀ ଏବଂ ଏହାର ଶାଖା ନଦୀଗୁଡ଼ିକରେ ମାଧ୍ୟମ ଧରଣର ବନ୍ୟା ପରିସ୍ଥିତି ଦେଖାଦେଇପାରେ। ସେଥିପାଇଁ ତଳିଆ ଅଞ୍ଚଳର ବାସିନ୍ଦାଙ୍କୁ ସତର୍କ ରହିବା, ପ୍ରଶାସନର ପରାମର୍ଶ ମାନିବା ଏବଂ ଆବଶ୍ୟକ ପଡ଼ିଲେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେବାକୁ ଅନୁରୋଧ କରାଯାଇଛି।
ଏହି ପରିସ୍ଥିତି ଉପରେ ପ୍ରଶାସନ ଓ ଜଳସମ୍ପଦ ବିଭାଗର ନଜର ରହିଛି। ପରବର୍ତ୍ତୀ ଜଳପ୍ରବାହ ଓ ପାଣିପାଗ ସ୍ଥିତିକୁ ଦୃଷ୍ଟିରେ ରଖି ଆଗାମୀ ପଦକ୍ଷେପ ଗ୍ରହଣ କରାଯିବ।
