ସଂଚାର ବ୍ୟୁରୋ: ଦୁଇ ଦିନ ହେଲାଣି ଅନ୍ଧାରରେ ଦିନ କାଟୁଛନ୍ତି ଦେଢଶହରୁ ଅଧିକ ଉପଭୋକ୍ତା । ଟ୍ରାନ୍ସଫର୍ମର ପୋଡି ଯାଇଥିବାରୁ ମହାକାଳପଡ଼ା ଡିଆଁ ରାଜଗଡ ଗାଁ ଲୋକଙ୍କୁ ଗରମ ଗୁଳୁଗୁଳିରେ ସଢିବାକୁ ପଡୁଛି । ଗାଁ ମୁଣ୍ଡରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମରର ଚାରିପଟ ମୁକୁଳା । ତେଣୁ ଅନେକ ସମୟରେ ଗୃହପାଳିତ ପଶୁ ସେଠାକୁ ପଶିଯାଇ ମୃତ୍ୟୁ ମୁଖରେ ପଡିବା ସହ ବାରମ୍ବାର ଟ୍ରାନ୍ସଫରମର ପୋଡିଯାଉଛି କିମ୍ବା ଅଚଳ ହୋଇଯାଉଛି । ଯାହା ଫଳରେ ପୂରା ଅଞ୍ଚଳରେ ଦିନ ଦିନ ଧରି ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇପଡୁଛି । ଗତକାଲିଠାରୁ ଡିଆଁ ରାଜଗଡ ଗାଁରେ ୧୫୦ରୁ ଅଧିକ ଉପଭୋକ୍ତା ଅନ୍ଧାରରେ ରାତି କାଟୁଥିଲେ ସୁଦ୍ଧା ବିଦ୍ୟୁତ ବିଭାଗ କର୍ମଚାରୀଙ୍କର ଦେଖା ନାହିଁ। ଏନେଇ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ଅଳାଇଲୋ ମହାକାଳପଡା ତାରିଣୀ ଛକରେ ରାସ୍ତା ଅବରୋଧ କରିଥିଲେ। ତୁରନ୍ତ ଟ୍ରାନ୍ସଫରମର ଚାରିକଡେ ପାଚେରି ବୁଲାଇବା ସହ ଗାଁକୁ ବିଦ୍ୟୁତ ସଂଯୋଗ ଲାଗି ଦାବି କରିଛନ୍ତି ଗ୍ରାମବାସୀ।