ଚଳିତ ଆଇପିଏଲ୍ର ୧୫ତମ ଲିଗ୍ ମ୍ୟାଚରେ ଆଜି କୋଲକାତା ଓ ଲକ୍ଷ୍ନୌ ପରସ୍ପରକୁ ଭେଟିବେ । ଉଭୟ ଦଳର ସମର୍ଥକ ଇଡେନ ଗାର୍ଡେନ୍ସର ବିଶାଳ ଗ୍ୟାଲେରୀ ପୂର୍ଣ୍ଣ କରିବାକୁ ଅପେକ୍ଷା କରିଥିବାବେଳେ ବର୍ଷା ସବୁ ଉତ୍ସାହକୁ ଭିଜାଇ ଦେବାର ଆଶଙ୍କା ରହିଛି । ପଞ୍ଜାବ ଓ କୋଲକାତା ମଧ୍ୟରେ ସୋମବାର ଖେଳାଯାଇଥିବା ମ୍ୟାଚରେ ବର୍ଷା ଖଳନାୟକ ସାଜିଥିଲା । ଆଜି ମଧ୍ୟ ବର୍ଷା ଯୋଗୁଁ ଖେଳରେ ବାଧା ଉପୁଜି ପାରେ ।
କୋଲକାତା ଓ ଲକ୍ଷ୍ନୌ ଦଳ ବିଜୟ ପାଇଁ ତତ୍ପର ରହିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ । କୋଲକାତା ୩ଟି ମ୍ୟାଚ ଖେଳି ବିଜୟ ଖାତା ଖୋଲି ନାହିଁ । କେବଳ ବର୍ଷା ଯୋଗୁଁ ପଞ୍ଜାବ ବିପକ୍ଷ ମ୍ୟାଚ ବାତିଲ ହେବାରୁ କୋଲକାତା ୧ ପଏଣ୍ଟ ଅର୍ଜନ କରିଛି । ଲକ୍ଷ୍ନୌ ପ୍ରଥମ ମ୍ୟାଚରେ ଦିଲ୍ଳୀ ଠାରୁ ପରାଜିତ ହେବା ପରେ ଦ୍ୱିତୀୟ ମ୍ୟାଚରେ ହାଇଦ୍ରାବାଦକୁ ହରାଇ ୨ ପଏଣ୍ଟ ଅର୍ଜନ କରିଛି । ପଏଣ୍ଟ ତାଲିକାରେ ଲକ୍ଷ୍ନୌ ଷଷ୍ଠ ଓ କୋଲକାତା ଅଷ୍ଟମ ସ୍ଥାନରେ ରହିଛନ୍ତି ।
ପୂର୍ବ ରେକର୍ଡକୁ ବିଚାରକୁ ନେଲେ ଆଜି ଲକ୍ଷ୍ନୌ ପଲା ଭାରି ରହିବ । ଉଭୟ ଦଳ ପରସ୍ପରକୁ ୬ଥର ଭେଟିଛନ୍ତ ଓ ଏଥିରୁ ଲକ୍ଷ୍ନୌ ୪ଟି ମ୍ୟାଚ ଜିତିଛି । ଗତ ସିଜନରେ ଉଭୟ ଦଳ ମଧ୍ୟରେ ଗୋଟିଏ ମ୍ୟାଚ ଖେଳା ଯାଇଥିଲା ଓ ଲକ୍ଷ୍ନୌ ଉକ୍ତ ମ୍ୟାଚ ଜିତିଥିଲା । ମାତ୍ର ଏହା ପୂର୍ବରୁ ୨୦୨୪ ସିଜନରେ କୋଲକାତା ଉଭୟ ମ୍ୟାଚରେ ବିଜୟୀ ହୋଇଥିଲା । ଅବଶ୍ୟ ଶ୍ରେୟାସ ଆୟର ସେତେବେଳେ କୋଲକାତା ଦଳର ଅଧିନାୟକ ରହିଥିଲେ । ୨୦୨୪ରେ କୋଲକାତା ଚାମ୍ପିଅନ ଆଖ୍ୟା ଅର୍ଜନ କରିଥିଲା ।
କୋଲକାତା ଦଳର ଅନେକ ଖେଳାଳି ଆହତ ହୋଇଥିବାରୁ ଏହାର ପ୍ରଭାବ ଦେଖିବାକୁ ମିଳିଛି । ହର୍ଷିତ ରାଣା, ଆକାଶ ଦୀପ, ମଥିଶା ପତିରଣାଙ୍କ ଭଳି ପେସ୍ ବୋଲର ଆହତ ହୋଇଥିବାରୁ ପେସ ବୋଲିଂ ବିଭାଭ ପ୍ରଭାବିତ ହେଉଛି । ଅଲ୍ରାଉଣ୍ଡର କାମେରନ ଗ୍ରୀନ ମଧ୍ୟ ସମ୍ପୂର୍ଣ୍ଣ ଫିଟ୍ ନଥିବାରୁ ବୋଲିଂ ଆରମ୍ଭ କରି ନାହାନ୍ତି । ପ୍ରମୁଖ ସ୍ପିନର ବରୁଣ ଚକ୍ରବର୍ତ୍ତୀ ମଧ୍ୟ ଆହତ ହୋଇ ବିଶ୍ରାମ ନେଉଛନ୍ତି ।
ଆଜି ମ୍ୟାଚ ପୂର୍ବରୁ ଫିଟ୍ନେସ ରିପୋର୍ଟକୁ ନେଇ କୋଲକାତା ସାମାନ୍ୟ ଆସ୍ୱସ୍ତ ହୋଇଛି । ପଞ୍ଜାବ ବିପକ୍ଷ ପୂର୍ବ ମ୍ୟାଚ ପୂର୍ବରୁ ଅସୁସ୍ଥ ହୋଇ ପଡ଼ିଥିବା ନାରାଏନ ବର୍ତ୍ତମାନ ସମ୍ପୂର୍ଣ୍ଣ ଫିଟ୍ ଘୋଷିତ ହୋଇଛନ୍ତି । ଫଳରେ ସେ ଆସନ୍ତା କାଲି ଖେଳିବା ନିଶ୍ଚିତ । ଗ୍ରୀନ୍ ମଧ୍ୟ ବୋଲିଂ କରିବା ପାଇଁ ଅନୁମତି ପାଇଛନ୍ତି । ଆଜି ସେ ବୋଲିଂ କରିବେ ବୋଲି କୋଲକାତା ଟିମ ମ୍ୟାନେଜମେଣ୍ଟ ଘୋଷଣା କରିଛି ।
ଲକ୍ଷ୍ନୌ ଏଥର ପେସ୍ ବୋଲିଂ ବିଭାଗକୁ ସୁଦୃଢ କରିଛି । ଭେଟେରାନ ମହମ୍ମଦ ସାମି ପ୍ରାରମ୍ଭିକ ବିପର୍ଯ୍ୟୟ ଘଟାଉଛନ୍ତି ଓ ପ୍ରିନ୍ସ ଯାଦବ ରନ୍ ଗତିରେ ବ୍ରେକ୍ ଲଗାଉଛନ୍ତି । ଏମାନଙ୍କ ବ୍ୟତୀତ ଅଭେଶ ଖାନ, ଦିଗବେଶ ରାଠି ଓ ଏମ ସିଦ୍ଧାର୍ଥ ବୋଲିଂ ବିଭାଗରେ ଯଥେଷ୍ଟ ଅବଦାନ ରଖୁଛନ୍ତି ।
କେବଳ ନାରାଏନଙ୍କୁ ଛାଡ଼ିଦେଲେ ବାକି ଦଳ ଅପରିବର୍ତ୍ତିତ ରହିବ । ନାରାଏନ କୋଲକାତା ଏକାଦଶକୁ ପ୍ରତ୍ୟାବର୍ତ୍ତନ କରିବେ । ଲକ୍ଷ୍ନୌ ମଧ୍ୟ ଅଭେଶଙ୍କୁ ଆଉ ଏକ ସୁଯୋଗ ଦେବ । ଆଜି ସାମି ଓ ଅଜିଙ୍କ୍ୟ ରାହାଣେଙ୍କ ମଧ୍ୟରେ ଏକ ଲଢେଇ ଦେଖିବାକୁ ମିଳିପାରେ । ସାମି ଆଜି ପର୍ଯ୍ୟନ୍ତ ଆଇପିଏଲରେ ରାହାଣେଙ୍କୁ ଆଉଟ୍ କରି ନାହାନ୍ତି । ସାମିଙ୍କ ବିପକ୍ଷରେ ରାହାଣେ ୯୪ ରନ ସଂଗ୍ରହ କରିଛନ୍ତି ।
ଇଡେନ ଗାର୍ଡେନ ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ ରହିଥିଲେ ହେଁ ବର୍ଷା ଯୋଗୁଁ ପିଚ୍ରେ ଆଦ୍ରତା ଭରି ରହିବ । ଫଳରେ ଉଭୟ ଇନିଂସର ପ୍ରାରମ୍ଭିକ କିଛି ଓଭରରେ ପେସ୍ ବୋଲରମାନେ ପିଚର ଫାଇଦା ଉଠାଇ ପାରିବେ । ଅପରାହ୍ଣରେ ବର୍ଷା ହେବାର ଆଶଙ୍କା ରହିଥିବାରୁ ବିଳମ୍ବରେ ଖେଳ ଆରମ୍ଭ ହୋଇପାରେ ।
ସମ୍ଭାବ୍ୟ ଦଳ
କୋଲକାତା: ଫିନ ଆଲେନ, ଅଜିଙ୍କ୍ୟ ରାହାଣେ (ଅଧିନାୟକ), ମାକେରନ ଗ୍ରୀନ, ଅଙ୍ଗକ୍ରୀଶ ରଘୁବଂଶୀ, ରିଙ୍କୁ ସିଂହ, ରମଣଦୀପ ସିଂହ, ସୁନୀଲ ନାରାଏନ, ଅନୁକୂଳ ରୟ, ନବଦୀପ ସାଇନି, ବୈଭବ ଆରୋରା, କାର୍ତ୍ତିକ ତ୍ୟାଗୀ, ବ୍ଲେସିଂ ମୁଜରବାନି ।
ଲକ୍ଷ୍ନୌ : ମିଚେଲ ମାର୍ଶ, ଆଡେନ ମାରକ୍ରମ, ରିଷଭ ପନ୍ତ(ଅଧିନାୟକ), ନିକୋଲାସ ପୂରନ, ଆୟୂଷ ବାଦୋନି, ଅବଦୁଲ ସମଦ, ମୁକୁଲ ଚୌଧୁରୀ, ଏମ ସିଦ୍ଧାର୍ଥ, ଅଭେଶ ଖାନ, ମହମ୍ମଦ ସାମି, ଦିଗବେଶ ରାଠି, ପ୍ରିନ୍ସ ଯାଦବ ।
