ସଂଚାର ବ୍ୟୁରୋ: ଯୋଡ଼ା ଲଘୁଚାପ ସମ୍ଭାବନା। ପୂର୍ବରେ ଗୋଟିଏ, ପଶ୍ଚିମରେ ଗୋଟିଏ। ପଶ୍ଚିମରେ ସୌରାଷ୍ଟ୍ର, କଚ୍ଛ ର ଦକ୍ଷିଣ ଭାଗ ଏବଂ ପାର୍ଶ୍ଵବର୍ତ୍ତୀ ଉତ୍ତରପୂର୍ବ ଆରବ ସାଗର ଅଞ୍ଚଳର ବାୟୁମଣ୍ଡଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆସନ୍ତା ୧୨ ଘଣ୍ଟାରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଅଛି। ସେପଟେ ପୂର୍ବରେ ବଙ୍ଗୋପ ସାଗରରେ ମଧ୍ୟ ଆସନ୍ତାକାଲି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ୨୪ ଘଣ୍ଟା ଭିତରେ ତାହା ଲଘୁଚାପର ରୂପ ନେଇପାରେ। ଏହାର ପ୍ରଭାବରେ ୨୮ ତାରିଖରୁ ୫ ଦିନ ଧରି ବର୍ଷା ଲାଗି ରହିବ। ଏଥିପାଇଁ ବରଗଡ଼, ସମ୍ବଲପୁର, ଝାରଗୁଡ଼ା, ସୁନ୍ଦରଗଡ, କେନ୍ଦୁଝରକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଉପକୂଳ ଅଞ୍ଚଳରେ ହୋଇପାରେ ବଜ୍ରପାତ। ୨୯ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୩୦ ତାରିଖ ପରେ ଲଘୁଚାପ ପ୍ରଭାବରେ ବର୍ଷାର ପରିମାଣ ବଢିବା ସମ୍ଭାବନା ରହିଛି ।