ପ୍ରେମିକାକୁ ହତ୍ୟା କରି ପ୍ରେମିକ ଗିରଫ । ହତ୍ୟାକୁ ଦୁର୍ଘଟଣା ରୂପ ଦେବା ଅଭିଯୋଗରେ ଯୁବକକୁ ଗିରଫ କଲା ଦିଗପହଣ୍ଡି ଥାନା ପୋଲିସ । ବିବାହ ପାଇଁ କହିବାରୁ ପ୍ରେମିକାକୁ ଯୋଜନାବଦ୍ଧ ହତ୍ୟା କରିଥିଲା ପ୍ରେମିକ । ଗତ ୭ ତାରିଖରେ ଗୋପାଳପୁର ବୁଲାଇ ନେବା ବାହାନାରେ ଆଙ୍କୁଲି ଓଭରବ୍ରିଜ ଉପରେ ବାଇକ୍ରୁ ଠେଲିଦେଇ ହତ୍ୟା କରିଥିଲା ପ୍ରେମିକ । ଗିରଫ ଯୁବକ ଜଣକ ଦିଗପହଣ୍ଡି ଥାନା ନିମଖଣ୍ଡି ପେଣ୍ଠ ଅଂଚଳର ରାକେଶ ଆଚାର୍ଯ୍ୟ ବୋଲି ଜଣାପଡିଛି ।
ସୂଚନା ଅନୁସାରେ, ଯୁକ୍ତ ଦୁଇ ବିଜ୍ଞାନ ପାସ କରିବା ପରେ ଯୁବତୀ ଜଣକ ବ୍ରହ୍ମପୁରରେ ରହି ନିଟ୍ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିଲେ। ୭ ତାରିଖ ସନ୍ଧ୍ୟାରେ ତାଙ୍କ ପ୍ରେମିକ ରାକେଶଙ୍କ ସହିତ ବାଇକରେ ବସି ଗୋପାଳପୁର ଯାଇଥିଲେ। ସେଠାରୁ ରାତିରେ ଫେରିବା ବେଳେ ଆଙ୍କୁଲି ଓଭରବ୍ରିଜ ନିକଟରେ ଦୁର୍ଘଟଣା ଘଟିଥିଲା। ଅମ୍ବିକା ଗୁରୁତର ହୋଇଥିଲେ। ମେଡିକାଲରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।। ପୋଲିସ ଏହି ଘଟଣାରେ ଶବ ଜବତ୍ କରି ତଦନ୍ତ କରିଥିଲା। ଅମ୍ବିକାଙ୍କ ମାମୁଙ୍କ ଅଭିଯୋଗ କ୍ରମେ ତଦନ୍ତ କରି ଅମ୍ବିକାଙ୍କୁ ହତ୍ୟା କରିବାର କାରଣ ଜାଣିବା ସହ ହତ୍ୟା କରାଯାଇ ଦୁର୍ଘଟଣାର ରୂପ ଦିଆଯାଇଥିବା ଜାଣିବା ପରେ ଗିରଫ କରିଥିଲା ପୋଲିସ ।

