ସଂଚାର ବ୍ୟୁରୋ: ପୁରୁଣା କୋର୍ଟ ଅର୍ଡରକୁ ଜାଲିଆତି କରି ଲୁଟିନେଲେ ମୃତ ଯବାନଙ୍କ ପେନସନ ଟଙ୍କା । ବିଚାରପତିଙ୍କ ଦସ୍ତଖତ ଏବଂ ସିଲକୁ ଜାଲ କରି ଲୁଟିନେଲେ ୨୦ ଲକ୍ଷ ଟଙ୍କା । ଏଭଳି ଅଭିଯୋଗ କ୍ରମେ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଉଦଳା ପୋଲିସ । ୨୦୨୧ ମସିହାରେ ଏକ ଛାଡ଼ପତ୍ର ମାମଲାର ଶୁଣାଣି କରି ବିଚାରପତି ରାୟ ପ୍ରକାଶ କରିଥିଲେ। ଏହି କୋର୍ଟ ଅର୍ଡରକୁ ଜାଲିଆତି କରି ସିଆଇଏସଏଫର ଯବାନ ଯଦୁନାଥ ସିଂ ଏବଂ ତାଙ୍କ ସ୍ତ୍ରୀ ମିନତିଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥିବାର ଜାଲ ଦସ୍ତାବିଜ ପ୍ରସ୍ତୁତ କରିଥିଲେ। ପରବର୍ତ୍ତୀ ସମୟରେ ଯଦୁନାଥ ଏବଂ ତାଙ୍କ ଭାଉଜ ସୋମବାରୀଙ୍କର ବିବାହ ହୋଇଥିବା ନେଇ ଏକ ବିବାହ ସାର୍ଟିଫିକେଟ ମଧ୍ୟ ହାସଲ କରିଥିଲେ । ତେବେ ୨୦୨୩ ମସିହାରେ ସିଆଇଏସଏଫ ଯବାନ ଯଦୁନାଥଙ୍କ ଦେହାନ୍ତ ହେବା ପରେ ଉକ୍ତ ଜାଲ ଦସ୍ତାବିଜ ଦେଇ ସିଆଇଏସଏଫରୁ ୨୦ ଲକ୍ଷ ଟଙ୍କା ପେନସନ ବାବଦକୁ ଉଠାଇ ଆଣିଥିଲେ। ଜାଲିଆତି ନେଇ ଜଣା ପଡିବା ପରେ ଘଟଣାର ତଦନ୍ତ କରାଯାଇଥିଲା। ଏହାପରେ ପୂରା ଜାଲିଆତିର ପର୍ଦ୍ଦାଫାସ ହୋଇଛି। ଏହି ଘଟଣାରେ ମୋହରିର ବନମାଳୀ ସିଂ, କମ୍ପ୍ୟୁଟର ଦୋକାନୀ ବିଜୟ ପାତ୍ର, ମୃତ ଯବାନଙ୍କ ଭାଉଜ ସୋମବାରୀ ଓ ତାଙ୍କ ପୁତୁରା ନିଲମ ସିଂ ଏବଂ ମାଷ୍ଟରମାଇଣ୍ଡ ସରକାରୀ ଓକିଲ ପ୍ରତିମା ସାହୁଙ୍କୁ ଗିରଫ କରିଛି ଉଦଳା ପୋଲିସ ।

