ଆଜି ପ୍ରଭୁ ଲିଙ୍ଗରାଜଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ। ପୁଣି ଶ୍ରଦ୍ଧାଳୁମାନେ ଜୟ ଲିଙ୍ଗରାଜ ଜୟ ଲିଙ୍ଗରାଜ ନାରା ଦେଇ ଅଣଲେଉଟା ରୁକୁଣା ରଥକୁ ଟାଣି ଆଣିବେ। ଗତ ଗୁରୁବାର ଆଶୋକାଷ୍ଟମୀ ଦିନଠାରୁ ରାମେଶ୍ୱର ମନ୍ଦିରକୁ ଯାତ୍ରା କରିଥିଲେ ଲିଙ୍ଗରାଜ ମହାପ୍ରଭୁ, ଦେବୀ ଦୁର୍ଗା ଓ ଦୋଳଗୋବିନ୍ଦ।
ଆଜି ଏହି ଠାକୁରଙ୍କୁ ରୁକୁଣା ରଥରେ ରାମେଶ୍ୱରରୁ ସ୍ୱର୍ଣ୍ଣାଞ୍ଚଳକୁ ଲେଉଟାଇ ଅଣାଯିବ। ଏହି ରଥର ବିଶେଷତ୍ୱ ହେଉଛି ଏହା ଅଣ ଲେଉଟା। ଅର୍ଥାତ୍ ବିନା ମୋଡ଼ରେ ରଥ ଫେରିଥାଏ। ଜଗନ୍ନାଥ ମହାପ୍ରଭୁଙ୍କ ରଥ ଦକ୍ଷିଣୀ ମୋଡ଼ ହେଉଥିବାବେଳେ ରୁକୁଣା ରଥ କୌଣସି ମୋଡ଼ ନେଇ ନ ଥାଏ। ଏଥିପାଇଁ ଏହାକୁ ଅଣଲେଉଟା କୁହାଯାଏ। ବିଧି ଅନୁସାରେ ରଥର ପଛପଟ ଦ୍ୱାର ଖୋଲାଯାଏ। ଏହି ଦ୍ୱାରରେ ସାରଥି ବ୍ରହ୍ମା, ଚାରି ଅଶ୍ୱ ଓ ଇଶଙ୍କୁ ଆଗରୁ ଆଣି ନୂତନ ପଟ ଦ୍ୱାରରେ ଲଗାଯାଏ। ସେହିପରି ସିଂହାସନ ପ୍ରଭାଙ୍କୁ ମଧ୍ୟ ବୁଲାଇ ଦିଆଯାଇଥାଏ। ଏଥିସହିତ ନୂତନ ପଟ ଦ୍ୱାରରେ ଚାରମାଳ ବନ୍ଧାଯାଇଥାଏ। ଯାହାଫଳରେ ଠାକୁରମାନେ ଏହି ନୂତନ ଦ୍ୱାରରେ ପହଣ୍ଡି ହୋଇ ରଥ ଉପରକୁ ଆସିଥାନ୍ତି।
ଶ୍ରୀଲିଙ୍ଗରାଜଙ୍କ ବାହୁଡ଼ା ଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ହୋଇଛି । ଭୋର ୫ଟାରୁ ସାଢ଼େ ୫ଟା ମଧ୍ୟରେ ବଢିଛି ମଙ୍ଗଳ ଆଳତି ଓ ଅବକାଶ ନୀତି । ରାମେଶ୍ୱରଙ୍କ ଠାରେ ୨ ଘଣ୍ଟାର ଅନ୍ତିମ ସାହାଣମେଲା ଦର୍ଶନ ସକାଳ ୬ଟାରୁ ୮ଟା ପର୍ଯ୍ୟନ୍ତ ଚାଲିଥିଲା । ଭୋଗ ମଣ୍ଡପ ନୀତି ଦିନ ସାଢେ ୧୧ଟାରେ ବଢି ଅଧର ପଣା ଦିନ ଗୋଟାଏ ଏବଂ ପହଣ୍ଡି ଅପରାହ୍ଣ ସାଢେ ୨ଟା ସୁଦ୍ଧା ସାରି ରଥଟଣା ଆରମ୍ଭ ହେବ । ଫେରିବା ବେଳେ ବାଟରେ ଅସୁର କିଆରୀ ଏବଂ ବିଭିନ୍ନ ନିଯୋଗ ତରଫରୁ ମଧ୍ୟ ପଣା ଲାଗି ହେବ ।

