ସଂଚାର ବ୍ୟୁରୋ: ରାଜ୍ୟରେ ବଜ୍ରପାତ ଘଟି ଯାଇଛି ଅନେକ ଜୀବନ। ବଜ୍ରପାତରେ ଅନେକ ଲୋକ ଆହତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘଟଣାରେ ଗଭୀର ଦୁଃଖପ୍ରକାଶ କରିବା ସହିତ ସେମାନଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ମୟୁରଭଂଜ, ବାଲେଶ୍ଵର ଓ ଭଦ୍ରକ ଜିଲ୍ଲାରେ ୨ ଜଣ ଲେଖାଏଁ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ କେନ୍ଦୁଝର, ଢେଙ୍କାନାଳ ଓ ଗଞ୍ଜାମ ଜିଲ୍ଲାରେ ଜଣେ ଲେଖାଏଁ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ବଜ୍ରପାତ ଯୋଗୁଁ ମୃତ୍ୟୁବରଣ କରିଥିବା ପ୍ରତ୍ୟେକ ମୃତ ବ୍ୟକ୍ତିଙ୍କ ନିକଟତମ ଆତ୍ମୀୟଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଆହତମାନଙ୍କ ଆଶୁଆରୋଗ୍ୟ କାମନା କରିବା ସହିତ ସେମାନଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି କହିଛନ୍ତି।