ଗାଁ ଶ୍ମଶାନରେ ଆଶୀର୍ବାଦର ଅନ୍ତିମ ସଂସ୍କାର କରାଯାଇଛି। ପୋଷ୍ଟମୋର୍ଟମ ପରେ ଆମ୍ବୁଲାନସରେ ମୃତଦେହକୁ ଗାଁକୁ ନେଇଥିଲା ପୋଲିସ ଓ ସ୍ଥାନୀୟ ପ୍ରଶାସନ। ହଜାର ହଜାର ଲୋକ ଶୋଭାଯାତ୍ରାରେ ନେଇ ଗାଁ ପରିକ୍ରମା କରିବା ପରେ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କଲେ। ଶୋଭାଯାତ୍ରା ବେଳେ ଉତ୍ତ୍ୟକ୍ତ ଲୋକଙ୍କ ସ୍ଲୋଗାନ ଥିଲା ଅଭିଯୁକ୍ତକୁ ଫାଶୀ ଦିଅ। ଏହି ଘଟଣାକୁ ନେଇ ଗାଁରେ ଉତ୍ତେଜନା ଲାଗି ରହିଥିବାରୁ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଥିଲା। ଏକ ଶୋକାକୂଳ ପରିବେଶ ମଧ୍ୟରେ ଆଶୀର୍ବାଦକୁ ଅନ୍ତିମ ବିଦାୟ ଦିଆଯାଇଥିଲା।ଏହି ଅବସରରେ ପରିବାରକୁ ଆର୍ଥିକ କ୍ଷତିପୂରଣ ସହ ଗାଁରୁ ନିଶା କାରବାରକୁ କଠୋର ହସ୍ତରେ ଦମନ କରିବାକୁ ଗାଁ ଲୋକେ ଦାବି କରି ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦେଇଛନ୍ତି। ଏଥିସହିତ ଅଭିଯୁକ୍ତ ବାପି ସାହୁ ଆଶୀର୍ବାଦ ସହ ଅପ୍ରାକୃତିକ ଯୌନ ସଂପର୍କ ରଖିବା ପରେ ତାଙ୍କୁ ହତ୍ୟା କରିଛି ବୋଲି ଗ୍ରାମବାସୀ ସନ୍ଦେହ ପ୍ରକାଶ କରିଛନ୍ତି। ଏହି ଘଟଣାରେ ଡେଲାଙ୍ଗ ଓକିଲ ସଂଘ ମଧ୍ୟ ବାପି ପକ୍ଷରୁ କେସ ଲଢିବେ ନାହିଁ ବୋଲି ନିଷ୍ପତ୍ତି ନେଇଛି।