ସଂଚାର ବ୍ୟୁରୋ: ହନିମୁନ୍ ପାଇଁ ଯାଇଥିଲେ ହେଲେ ଫେରିଲା ମୃତଦେହ । ଏପଟେ ପତ୍ନୀଙ୍କର ମିଳୁନି ଖୋଜ ଖବର । ଏଭଳି ଏକ ଘଟଣା ଯାହା ଏବେ ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇଦେଇଛି । ଇନ୍ଦୋରର ଏକ ଦମ୍ପତି ହନିମୁନ୍ ପାଇଁ ମେଘାଳୟ ଯାଇଥିବା ବେଳେ ତାଙ୍କ ସହ କ’ଣ ଘଟିଲା ତାହା ଏବେ ରହସ୍ୟ ଘେରରେ । ଆମେ କହୁଛୁ ଇନ୍ଦୋରର ନବଦମ୍ପତ୍ତି ରାଜ୍ ରଘୁବଂସୀ ଓ ସୋନମ୍ । ଏବେ ଏହି ଖବର ଚାରିଆଡେ ବେଶ ଚର୍ଚ୍ଚାରେ ରହିଛି । ବାହାଘର ପରେ ଦୁହେଁ ନିଜର ହନିମୁନ୍ ପାଇଁ ଗତ ମେ ୨୦ରେ ମେଘାଳୟ ଯାଇଥିଲେ ।
ମେ ୧୧ରେ ସୋନମଙ୍କୁ ବିବାହ କରିଥିଲେ ଇନ୍ଦୋରର ରାଜା ରଘୁବଂଶୀ । ପରିବାରର ସହମତିରେ ଉଭୟଙ୍କ ବାହାଘର ହୋଇଥିଲା । ଆଉ ବିବାହର ମାତ୍ର ୯ ଦିନ ପରେ ଏହି ନବବିବାହିତ ଦମ୍ପତ୍ତି ହନିମୁନ୍ ପାଇଁ ଯାଇଥିଲେ ମେଘାଳୟ । ମେ ୨୦ରେ ଗୌହାଟୀର କାମାକ୍ଷା ମନ୍ଦିର ଦର୍ଶନ କରି ସେଠାରୁ ସିଲଂ ବାହାରି ଯାଇଥିଲେ ଦମ୍ପତି । କିନ୍ତୁ ସିଲଂରେ ପହଞ୍ଚିବାର ୪୮ ଘଣ୍ଟା ପରେ ରହସ୍ୟମୟ ଭାବେ ନିଖୋଜ ହୋଇଗଲେ ସ୍ୱାମୀ ସ୍ତ୍ରୀ । ମେ ୨୩ ଦିନ ଶେଷ ଥର ପାଇଁ ବୋହୂ ସୋନମ୍ ନିଜ ଶାଶୁଙ୍କ ସହ କଥା ହୋଇଥିଲେ ।
ଏହାପରେ ହଠାତ ଉଭୟଙ୍କ ଫୋନ୍ ସୁଇଚ୍ ଅଫ୍ ହୋଇଯାଇଥିଲା । ସନ୍ଦେହ ହେବାରୁ ପରିବାର ସଦସ୍ୟ ସିଲଂରେ ପହଞ୍ଚି ଥାନାର ଦ୍ୱାରସ୍ଥ ହୋଇଥିଲେ । ଯାହାପରେ ନିଖୋଜ ରାଜା ଓ ସୋନମଙ୍କୁ ଖୋଜିବାକୁ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଆଉ ତଦନ୍ତ ପରେ ସାମ୍ନାକୁ ଆସିଥିଲା ଅନେକ ରହସ୍ୟମୟ ତଥ୍ୟ । ମେ’ ୨୪ ତାରିଖ ଦିନ ରାତିରେ ସେଠାକାର ଏକ ରାସ୍ତା କଡ଼ରୁ ଯାହାକୁ ରାଜା ଭଡ଼ାରେ ନେଇଥିବା ଏକ ସ୍କୁଟି ଜବତ ହୋଇଥିଲା । ପରେ ଜଙ୍ଗଲରୁ ୨ଟି ବ୍ୟାଗ୍ ମିଳିଥିଲା ।
ଏହି ବ୍ୟାଗ୍ ସୋନମ୍ ଓ ରାଜାଙ୍କର ହୋଇଥିବା ଚିହ୍ନଟ କରିଥିଲେ ପରିବାର ଲୋକେ । ଯାହାପରେ ଡ୍ରୋନ୍ ଯୋଗେ ଉଭୟଙ୍କୁ ଖୋଜିଥିଲା ପୋଲିସ । ନିଖୋଜ ହେବାର ୧୦ ଦିନ ପରେ ଅର୍ଥାତ ଜୁନ ୨ ତାରିଖରେ ଜଙ୍ଗଲର ଖାତରୁ ରାଜାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ମୃତଦେହର ଅବସ୍ଥା ବହୁତ ଖରାପ ଥିଲା ଏବଂ ରାଜାଙ୍କ ସୁନା ମୁଦି ଏବଂ ଚେନ୍ ଗାଏବ ଥିଲା, ଯାହା ଫଳରେ ଡକାୟତି ଏବଂ ହତ୍ୟାର ସମ୍ଭାବନା ସୃଷ୍ଟି ହୋଇଥିଲା । କିନ୍ତୁ ଏଯାଏଁ ସୋନମଙ୍କ ଖୋଜ ଖବର ମିଳିପାରୁନି ।
ଏପଟେ ସ୍ଥାନୀୟ ଲୋକେ ରାଜା ଓ ସୋନମଙ୍କ ଏକ ବଡ଼ ପୋଷ୍ଟର ଘରେ ଲଗାଇ ’ ମୁଁ ମରିନି ମୋତେ ମାରିଦିଆଯାଇଛି ’ ବୋଲି ଲେଖିବା ସହ ସିବିଆଇ ଯାଞ୍ଚ ପାଇଁ ଦାବି କରିଛନ୍ତି । ସେପଟେ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ଏଭଳି ଘଟଣା ପୁରା ନୂଆ ବୋଲି କହିଛନ୍ତି ମେଘାଳୟ ମୁଖ୍ୟମନ୍ତ୍ରୀ କେ ସାଙ୍ଗମା । ତେବେ ଏହି ଘଟଣାର ତଦନ୍ତ ପରେ ଅନେକ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ତେବେ ପ୍ରକୃତରେ ରାଜାଙ୍କ ମୃତ୍ୟୁ କେମିତି ହେଲା ଅନ୍ୟପଟେ ପତ୍ନୀ ସୋନମ ନିଖୋଜ ଯାହାକୁ ନେଇ ବଢ଼ିବାରେ ଲାଗିଛି ସସପେନ୍ସ ।