ଦୀର୍ଘ ୨୭ ବର୍ଷ ପରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ଆୟୋଜନ ପାକିସ୍ତାନ କରୁଛି । ପାକିସ୍ତାନର ଲାହୋର, କରାଚି ଓ ରାୱଲପିଣ୍ଡି ଷ୍ଟାଡିୟମରେ ଚାମ୍ପିଅନ୍ସ ଟ୍ରଫିର ମ୍ୟାଚ୍ ଖେଳାଯାଉଛି । ହେଲେ ଲାହୋରରେ ଏକ ମ୍ୟାଚ୍ ବେଳେ ଜଣେ ଯୁବକ ଭାରତୀୟ ଜାତୀୟ ପତାକା ଉଡ଼ାଇ ଗିରଫ ହୋଇଛି ।
ସୁରକ୍ଷାକର୍ମୀମାନେ ତାଙ୍କୁ ଦେଖିବା ମାତ୍ରେ ତାଙ୍କ ପାଖକୁ ଆସି ତ୍ରିରଙ୍ଗା ଜବତ କରିଥିଲେ । ଖାଲି ସେତିକି ନୁହେଁ, ଯୁବକଙ୍କୁ କଲର ଧରି ଷ୍ଟାଡିୟମରୁ ବାହାରକୁ ନିଆଯାଇଥିଲା । ପରେ ପୋଲିସ ତାଙ୍କୁ ଗିରଫ କରିଥିଲା ।
ଭାଇରଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ଯେଉଁଥିରେ ଜଣେ ଯୁବକ ଷ୍ଟାଡିୟମରେ ଭାରତୀୟ ପତାକା ଧରିଥିବା ଦେଖିବାକୁ ମିଳୁଛି । ଏହି ଭିଡିଓଟି ଲାହୋରର ଗଦାଫି ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ମ୍ୟାଚର ବୋଲି ଜଣାପଡିଛି । ଏହି ସମୟରେ ଜଣେ ଯୁବକ ଭାରତୀୟ ପତାକା ହଲାଉଥିବା ଦେଖିବାକୁ ମିଳିଥିଲା । ସୁରକ୍ଷା କର୍ମୀମାନେ ଯୁବକଙ୍କ
ପାଖକୁ ଯାଇ ତାଙ୍କ କଲର ଧରି ତାଙ୍କୁ ସିଟ୍ ରୁ ଉଠାଇ ନେଇଥିଲେ । ଏହାପରେ ସେମାନେ ତାଙ୍କ ପୋଷାକକୁ ଧରି ବାହରକୁ ଟାଣି ନେଇ ଯାଇଥିଲେ । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।
ତେବେ ଏହାପୂର୍ବରୁ କରାଚି ଷ୍ଟାଡିୟମରେ ସମସ୍ତ ଦେଶର ପତାକା ନଜର ଆସିଥିବା ବେଳେ ଚାମ୍ପିଅନ୍ସ ଟ୍ରଫିରେ ଭାଗ ନେଇଥିବା ଭାରତୀୟ ତ୍ରିରଙ୍ଗା ଦେଖିବାକୁ ମିଳିନଥିଲା । କିନ୍ତୁ ଏହାକୁ ନେଇ ଅନେକ ଟ୍ରୋଲ ହେବା ପରେ ତ୍ରିରଙ୍ଗାକୁ ଲଗାଇଥିଲା ପାକିସ୍ତାନ କ୍ରିକେଟ ବୋର୍ଡ ।
ଚାମ୍ପିଅନ୍ସ ଟ୍ରଫି ଖେଳିବା ପାଇଁ ଟିମ୍ ଇଣ୍ଡିଆ ପାକିସ୍ତାନ ଆସିନାହିଁ । ଭାରତ ସମସ୍ତ ମ୍ୟାଚ ଦୁବାଇରେ ଖେଳୁଛି । ଚାମ୍ପିଅନ୍ସ ଟ୍ରଫିର ୨ଟି ଲିଗ୍ ମ୍ୟାଚ ଭାରତ ଜିତିସାରିଛି । ୩ୟ ଲିଗ୍ ମ୍ୟାଚ ନ୍ୟୁଜିଲାଣ୍ଡ ସହିତ ଆସନ୍ତା ମାର୍ଚ୍ଚ ୨ ତାରିଖରେ ରହିଛି । ଏହାସହିତ ଭାରତ ସେମିଫାଇନାଲରେ ପ୍ରବେଶ କରିଛି । ପ୍ରଥମ ସେମି ଫାଇନାଲ ମ୍ୟାଚ ମାର୍ଚ୍ଚ ୪ ତାରିଖରେ ଦୁବାଇରେ ଖେଳାଯିବ ।