ସଂଚାର ବ୍ୟୁରୋ: କୋଲକାତା ଦୁଷ୍କର୍ମ ଓ ହତ୍ୟା ପ୍ରତିବାଦରେ ବିଶାଳ ଛାତ୍ର ବିକ୍ଷୋଭ। କୋଲକାତାର ରାଜରାସ୍ତାରେ ହଜାର ହଜାର ଛାତ୍ରଙ୍କ ଗର୍ଜନ। ସେମାନେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବିରେ ସଚିବାଳୟ ନବାନ୍ନ ଘେରାଉ ଉଦ୍ୟମ କରିଛନ୍ତି। କଲେଜ ସ୍କୋୟାରରୁ ପଦଯାତ୍ରାରେ ବାହାରିବା ବେଳେ ବାଟରେ ସେମାନଙ୍କୁ ଅଟକାଇଥିଲା ପୋଲିସ। ଏହି ଘେରାଉକୁ ଭଣ୍ଡୁର କରିବାକୁ ସରକାର ୬ ହଜାରକୁ ଅଧିକ ପୋଲିସ କର୍ମୀ ନିୟୋଜିତ କରିଥିଲେ। ବାଟରେ ପୋଲିସ ଓ ଛାତ୍ରଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ଆନ୍ଦୋଳନକାରୀଙ୍କୁ ହଟାଇବା ପାଇଁ ପୋଲିସ ଲାଠିଚାର୍ଜ କରିଛି। ଲୁହବୁହା ଗ୍ୟାସ ପ୍ରୟୋଗ କରିବା ସହିତ ଛାତ୍ରଙ୍କ ଉପରେ ପାଣିମାଡ଼ ବି କରିଛି। ଟିଏମସି ଅଭିଯୋଗ କରିଛି, ଏହି ଆନ୍ଦୋଳନ ପଛରେ ଅଛି ବିଜେପି। ଛାତ୍ରଙ୍କୁ ବ୍ୟବହାର କରି ସରକାରକୁ ଅସ୍ଥିର କରିବାକୁ ଷଡ଼ଯନ୍ତ୍ର କରାଯାଇଛି। କିଛି ଛାତ୍ରନେତାଙ୍କୁ ପୋଲିସ ଉଠାଇ ନେଇଥିବା ଅଭିଯୋଗ କରିଛି ବିଜେପି। ସେପଟେ ଆଜି ପୋଲିସ ମାତ୍ରାଧିକ କାର୍ୟ୍ଯାନୁଷ୍ଠାନ ନେଇଥିବା ଅଭିଯୋଗ କରି ଆସନ୍ତାକାଲି ବନ୍ଦ ଡାକରା ଦେଇଛି ବିଜେପି।

