ସଂଚାର ବ୍ୟୁରୋ: କୋଲକାତାରେ ହଠାତ ଢଳିଗଲା ବୃହତ କୋଠା। ବଙ୍କା ହୋଇ ରହିଥିବାରୁ ଅନ୍ଯାନ୍ଯ କୋଠା ପ୍ରତି ବି ବିପଦ ସୃଷ୍ଟି ହୋଇଛି। ଏହି ଘଟଣାକୁ ନେଇ ଆତଙ୍କ ପ୍ରକାଶ ପାଇଛି। ଆଜି ବାଘାଯତୀନ ଇଲାକାର ବିଦ୍ଯାସାଗର କଲୋନୀରେ ହଠାତ ଏକ ଚାରି ମହଲା କୋଠା ଢଳିଯିବାରୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ପ୍ରକାଶ ପାଇଥିଲା। ମାସକ ପୂର୍ବେ ଏହି କୋଠାରେ ଫାଟ ସୃଷ୍ଟି ହେବାରୁ ପୋଲିସ ଓ କୋଲକାତା ମହାନଗର ନିଗମର ଟିମ କୋଠାକୁ ଖାଲି କରିଦେଇଥିଲେ। କୋଠାଟି କୋଲକାତା ମହାନଗର ନିଗମର ୱାର୍ଡ ନମ୍ବର ୯୯ରେ ରହିଛି। ତେବେ କୋଠାଟି ଢଳିବା ବେଳେ ତା ଭିତରେ କେହି ନଥିବା ସୂଚନା ମିଳିଛି। କୋଠାକୁ ନୂତନ ଭାବେ ରଙ୍ଗ ଦିଆଯାଇଥିବାବେଳେ ଏହା ବାମ ପଟକୁ ଅନ୍ୟ ଏକ କୋଠା ଉପରେ ଲାଖିଥିବା ଦେଖାଯାଇଛି। ଘଟଣାସ୍ଥଳରେ ସ୍ଥାନୀୟ ବିଧାୟକ ଓ ମେୟର ଉପସ୍ଥିତ ରହି ସ୍ଥିତି ସମୀକ୍ଷା କରିଛନ୍ତି। ଗତବର୍ଷ ମାର୍ଚ୍ଚ ମାସରେ ଗାର୍ଡନ ରିଚ ଅଞ୍ଚଳର ଆଝାର ମୋଲ୍ଲା ବାଗନରେ ଏକ କୋଠା ଭୁଶୁଡି ଯିବାରୁ ୧୨ ଜଣ ଲୋକଙ୍କ ମୃତ୍ଯୁ ଘଟିଥିଲା।