ସଂଚାର ବ୍ୟୁରୋ: ଭୁବନେଶ୍ୱରରେ ଆନ୍ତର୍ଜାତିକ ଭଲିବଲ୍ ଫେଡେରେସନ୍ ଏଫ୍ଆଇଭିବିର ସଭାପତି ଡ. ଆରି ଗ୍ରାସାଙ୍କୁ ସମ୍ମାନଜନକ କିସ୍ ହ୍ୟୁମାନିଟାରିଆନ୍ ସମ୍ମାନ-୨୦୨୦ ପ୍ରଦାନ କରାଯାଇଛି । ଏକ ଘରୋଇ ହୋଟେଲରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଓଡ଼ିଶା ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ଓଡ଼ିଶା ରାଜ୍ୟପାଳ ରଘୁବର ଦାସ, କିଟ୍ ଓ କିସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଉପସ୍ଥିତିରେ ଡ. ଗ୍ରାସାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ସମଗ୍ର ବିଶ୍ୱରେ ଭଲିବଲ୍ର ବିକାଶ ନେଇ ଡ. ଗ୍ରାସାଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ କିସ୍ ହ୍ୟୁମାନିଟାରିଆନ୍ ସମ୍ମାନ ପ୍ରଦାନ କରାଯାଇଛି । ୨୦୨୦ରେ ତାଙ୍କୁ ଏହି ସମ୍ମାନ ଦିଆଯିବା ପାଇଁ ନିଷ୍ପତି ହୋଇଥିଲେ ମଧ୍ୟ କୋଭିଡ୍ ମହାମାରୀ ଯୋଗୁଁ ଏହି ସମ୍ମାନ ପ୍ରଦାନ କରାଯାଇପାରି ନ ଥିଲା । ବ୍ରାଜିଲ୍ ବାସିନ୍ଦା ୮୧ ବର୍ଷ ବୟସ୍କ ଗ୍ରାସା ଦୀର୍ଘ ୧୨ ବର୍ଷ ହେଲା ଆନ୍ତର୍ଜାତିକ ଭଲିବଲ୍ ଫେଡେରେସନ୍ର ସଭାପତି ଅଛନ୍ତି । ଏଫ୍ଆଇଭିବି ହେଉଛି ବିଶ୍ୱର ସର୍ବ ବୃହତ କ୍ରୀଡ଼ା ସଂଘ । ଏଥିରେ ୨୨୨ଟି ରାଷ୍ଟ୍ର ସଦସ୍ୟ ରହିଛନ୍ତି । ଡ. ଗ୍ରାସା ଏହି ସମ୍ମାନଜନକ କିସ୍ ହ୍ୟୁମାନିଟାରିଆନ୍ ସମ୍ମାନ ଗ୍ରହଣ କରିଥିବାରୁ ଏହା କିସ୍ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ଅଚ୍ୟୁତ ସାମନ୍ତ କହିଛନ୍ତି । ସାମାଜିକ ଓ ମାନବିକତା କ୍ଷେତ୍ରରେ ସମଗ୍ର ବିଶ୍ୱରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନଙ୍କୁ ଏହି ସମ୍ମାନ ପ୍ରୋତ୍ସାହିତ କରିବା ସହ ଏ ଦିଗରେ ଅଧିକରୁ ଅଧିକ କାର୍ଯ୍ୟ କରିବା ପାଇଁ ଉତ୍ସାହିତ କରିଥାଏ ।