କିଟ୍ରେ ନେପାଳୀ ଛାତ୍ରୀ ପ୍ରକ୍ରିତି ଲାମସାଲଙ୍କ ମୃତ୍ୟୁକୁ ମାସେରୁ ଅଧିକ ସମୟ ବିତିଥିବା ବେଳେ ତଦନ୍ତ ଚାଲିଛି । ଏହାରି ଭିତରେ କିଟ୍ କର୍ତ୍ତୃପକ୍ଷ ଯେଉଁ ସତକୁ ଚାପି ଆସୁଥିଲେ ତାକୁ ବିଧାନସଭାରେ ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ । ପ୍ରକ୍ରିତି କୌଣସି ଅଭିଯୋଗ କରି ନଥିବା କିଟ୍ କହି ଆସୁଥିବା ବେଳେ ମନ୍ତ୍ରୀ କହିଛନ୍ତି, ମୃତ୍ୟୁର ୧୧ ମାସ ପୂର୍ବରୁ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିଥିଲେ ଛାତ୍ରୀ ।
ବିଧାନସଭାରେ ବିଧାୟକ ଦାସରଥି ଗମାଙ୍ଗହ୍କ ପ୍ରଶ୍ନର ଉତ୍ତରରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, ମୃତ୍ୟୁର ୧୧ ମାସ ପୂର୍ବରୁ ଅର୍ଥାତ୍ ୨୦୨୪ ମାର୍ଚ୍ଚ ୧୨ରେ ନେପାଳୀ ଛାତ୍ରୀ ପ୍ରକ୍ରିତି ଲାମସାଲ ଯୌନ ଶୋଷଣ (Sexual Harassment) ସମ୍ପର୍କରେ ଅଭିଯୋଗ କରିଥିଲେ । ଏନେଇ ସରକାରଙ୍କୁ କିଟ୍ ବିଶ୍ଵବିଦ୍ୟାଳଯ ତଥ୍ୟ ଦେଇଛନ୍ତି ।
ତେବେ ପ୍ରକ୍ରିତିଙ୍କ ଆତ୍ମହତ୍ୟା ଓ ତତ୍ ପରବର୍ତ୍ତୀ ଘଟଣା ସମ୍ପର୍କରେ ସରକାରଙ୍କ ଦ୍ଵାରା ଗଠିତ ଉଚ୍ଚସ୍ତରୀୟ କମିଟି ପୁଙ୍ଖାନୁପୁଙ୍ଖ ତଦନ୍ତ ଜାରି ରଖିଛନ୍ତି । ୟୁଜିସି ଗାଇଡ୍ଲାଇନ୍ ଅନୁସାରେ, ଆଭ୍ୟନ୍ତରୀଣ କମିଟି ଗଠନ କରାଯାଇଥିବା କିଟ୍ ବିଶ୍ଵବିଦ୍ୟାଳୟ ପକ୍ଷରୁ ସୂଚନା ଦିଆ ଯାଇଥିବା ଉଚ୍ଚଶିକ୍ଷା ମନ୍ତ୍ରୀ ଗୃହକୁ ଅବଗତ କରାଇଛନ୍ତି ।
କିନ୍ତୁ ପ୍ରକ୍ରିତିଙ୍କ ଅଭିଯୋଗକୁ ବର୍ଷେ ଓ ମୃତ୍ୟୁର ମାସକ ପରେ ବି କିଟ୍ କି ପଦକ୍ଷେପ ନେଇଛି ? ଆଭ୍ୟନ୍ତରୀଣ କମିଟି ତଦନ୍ତରେ କଣ ପାଇଲା ? ପ୍ରକ୍ରିତିଙ୍କ ଅଭିଯୋଗରେ ସତ୍ୟତା ଅଛି କି ? ଯଦି ଅଛି, ତାହେଲେ ଅଭିଯୋଗର ୧୧ ମାସ ପରେ କି ପଦକ୍ଷେପ ନେଇଛି କିଟ୍ ? ସେ ନେଇ କିଟ୍ କର୍ତ୍ତୃପକ୍ଷ କୌଣସି ତଥ୍ୟ ପ୍ରଦାନ କରି ନାହାନ୍ତି ।