ସଂଚାର ବ୍ୟୁରୋ: ନେପାଳରେ ରାଜତନ୍ତ୍ର ସମର୍ଥନରେ ସଂଘର୍ଷ। ମୁହାଁମୁହିଁ ପୋଲିସ ଓ ଜନତା। ରାଜପଥ ପାଲଟିଛି ରଣକ୍ଷେତ୍ର। ରାଜଧାନୀ କାଠମାଣ୍ଡୁରେ ମୁହାଁମୁହିଁ ହୋଇଛନ୍ତି ପୋଲିସ ଓ ରାଜତନ୍ତ୍ର ସମର୍ଥକ। ନେପାଳରେ ହିନ୍ଦୁ ରାଜ୍ୟ ମାନ୍ୟତା ପୁଣିଥରେ ସ୍ଥାପନ କରିବାକୁ ଆନ୍ଦୋଳନକାରୀ ଦାବି କରିଛନ୍ତି। ରାଜତନ୍ତ୍ର ସହ ହିନ୍ଦୁ ରାଜ୍ୟ ପୁନଃସ୍ଥାପନ ଦାବିରେ ସୁରକ୍ଷାକର୍ମୀ ଏବଂ ରାଜତନ୍ତ୍ର ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ଲୁହବୁହା ଗ୍ୟାସ ଏବଂ ରବର ଗୁଳି ମାଡ଼କରିବାକୁ ପଡିଥିଲା। ସ୍ଥିତିକୁ ନେଇ ଟିଙ୍କୁନ, ସିନାମଙ୍ଗଳ ଏବଂ କୋଟେଶ୍ୱର ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଛି। ପ୍ରର୍ଶନକାରୀ ସୁରକ୍ଷା ବଳୟ ଭାଙ୍ଗି ପୋଲିସ ଉପରକୁ ଟେକା ପଥର ମାଡ଼ କରିଥିଲେ। ଏହାକୁ ନେଇ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡିଥିଲା। ପ୍ରଦର୍ଶନକାରୀ ଏକ ବ୍ୟବସାୟିକ ପ୍ରତିଷ୍ଠାନ, ସପିଂ ମଲ୍, ସହ ରାଜନୈତିକ ଦଳର ମୁଖ୍ୟାଳୟରେ ନିଆଁ ଲଗାଇ ଦେଇଥିଲେ। ଏକ ଗଣମାଧ୍ୟମ କୋଠାରେ ମଧ୍ୟ ନିଆଁ ଲଗାଇ ଦେଇଥିଲେ।ସଂଘର୍ଷରେ ୧୨ରୁ ଅଧିକ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ୨୦୦୮ ମସିହାରେ ନେପାଳ ଏକ ସଂସଦୀୟ ଘୋଷଣା ମାଧ୍ୟମରେ ଏହାର ୨୪୦ ବର୍ଷ ପୁରୁଣା ରାଜତନ୍ତ୍ରକୁ ଉଚ୍ଛେଦ କରିଥିଲା। ଗତ ୧୯ ଫେବୃଆରୀରେ ନେପାଳ ଗଣତନ୍ତ୍ର ଦିବସ ପାଳନ ଅବସରରେ ଏକ ଭିଡିଓ ବାର୍ତ୍ତା ଜାରି କରି ନେପାଳରେ ପୁଣିଥରେ ରାଜତନ୍ତ୍ର ପୁନରୁଦ୍ଧାର ପାଇଁ ଆହ୍ୱାନ ପରେ ତେଜିଛି ଉତ୍ତେଜନା ।