କନ୍ନଡ ସିନେ ଅଭିନେତା ଦର୍ଶନ ଥୁଗୁଦିପାଙ୍କୁ ଜେଲରେ ଭିଆଇପି ସେବା ପ୍ରସଙ୍ଗ। ନିଲମ୍ବିତ ହେଲେ ଜେଲର ୭ ଅଧିକାରୀ। ପ୍ରାରମ୍ଭିକ ତଦନ୍ତ ପରେ ଜେଲର ୭ ଅଧିକାରୀଙ୍କୁ ସସପେଣ୍ଡ କରିଛି କର୍ଣ୍ଣାଟକ ଗୃହ ବିଭାଗ। ଜେଲରେ ଭିଆଇପି ଟ୍ରିଟମେଣ୍ଟ ନେଇ ସୋସିଆଲ ମିଡିଆରେ ଫଟୋ ଭାଇରାଲ ହେବାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କର୍ଣ୍ଣାଟକ ଗୃହମନ୍ତ୍ରାଳୟ। ଜେଲର ୭ ଅଧିକାରୀଙ୍କୁ ନିଲମ୍ବନ ନେଇ ସୂଚନା ଦେଇଛନ୍ତି କର୍ଣ୍ଣାଟକ ଗୃହମନ୍ତ୍ରୀ ଜି. ପରମେଶ୍ଵର।
ଜେଲ ସୁରକ୍ଷାରେ ଗୁରୁତର ତ୍ରୁଟି ହୋଇଥିବା ଅଭିଯୋଗ ହୋଇଛି। ତଦନ୍ତବେଳେ ଜେଲର ଏକାଧିକ ଅଧିକାରୀଙ୍କ ଏଥିରେ ସମ୍ପୃକ୍ତି ଥିବା ଜଣାପଡିଥିଲା। ଜେଲରେ ସୁରକ୍ଷା ତ୍ରୁଟି ନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି କହିଛନ୍ତି କର୍ଣ୍ଣାଟକ ଗୃହମନ୍ତ୍ରୀ। କାନାଡା ଅଭିନେତା ଦର୍ଶନ ଥୁଗୁଦିପାଙ୍କ ଏକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହି ବିବାଦ ଜୋର ଧରିଥିଲା। ଫଟୋରେ ଅଭିନେତା ଦର୍ଶନଙ୍କୁ ଭିଭିଆଇପି ସେବା ପ୍ରଦାନ କରାଯାଉଛି।
ଜେଲ ଭିତରେ ଏକ ଚେୟାରରେ ବସିଥିବାବେଳେ ତାଙ୍କ ପାଖରେ ଅନ୍ୟ କିଛି ବ୍ୟକ୍ତି ଚେୟାର ପକାଇ ବସିଛନ୍ତି। ଦର୍ଶନଙ୍କ ହାତରେ ସିଗାରେଟ ଏବଂ କଫି ମଗ୍ ଧରିଛନ୍ତି। ଦର୍ଶନଙ୍କ ପାଖରେ ଅପରାଧୀ ୱିଲସନ ଗାର୍ଡନ ନାଗା, ଦର୍ଶନଙ୍କ ମ୍ଯାନେଜର ଏବଂ ଅନ୍ୟ ଜଣେ ଅଭିଯୁକ୍ତ ବସିଛନ୍ତି। ଏକାଠି ବସି ଦର୍ଶନ ଭିଡିଓ କଲ କରୁଥିବା ଦେଖିବାକୁ ମିଳୁଛି। ବେଙ୍ଗାଳୁରୁରେ ଥିବା ପାରାପାନା ଆଘାରା ସେଣ୍ଟ୍ରାଲ ଜେଲର ଏ ଦୃଶ୍ୟ।
ଦର୍ଶନଙ୍କ ଫ୍ଯାନ୍ ରେଣୁକାସ୍ଵାମୀ ହତ୍ଯାକାଣ୍ଡରେ ସମ୍ପୃକ୍ତି ଅଭିଯୋଗରେ ଜେଲରେ ବିଚାରାଧୀନ କଏଦୀ ଭାବେ ରହିଛନ୍ତି ଅଭିନେତା ଦର୍ଶନ ଥୁଗୁଦୀପା। ଦର୍ଶନଙ୍କ ସମେତ ସାଥି ପବିତ୍ରା ଗୌଡା ସମେତ ୧୬ ଜଣ ମାମଲାରେ ଜେଲରେ ଅଛନ୍ତି। ଦର୍ଶନଙ୍କ ପ୍ରଶଂସକ ରେଣୁକାସ୍ଵାମୀ ତାଙ୍କ ସାଙ୍ଗ ପବିତ୍ରାଙ୍କୁ ଅଶାଳୀନ ମ୍ଯାସେଜ ପଠାଇଥିବା ଅଭିଯୋଗ ହୋଇଥିଲା। ଏହାପରେ ଘଟଣାକୁ ନେଇ ହତ୍ଯାକାଣ୍ଡ ଘଟିଥିବା ଜଣାପଡିଛି। ଜୁନ ୯ ତାରିଖରେ ରେଣୁକାସ୍ଵାମୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା।