ସଂଚାର ବ୍ୟୁରୋ: କଙ୍ଗନା ରଣାୱତଙ୍କ ଫିଲ୍ମ ଏମର୍ଜେନ୍ସିକୁ ଧକ୍କା। ରିଲିଜ ପାଇଁ ସେଣ୍ଟ୍ରାଲ ବୋର୍ଡ ଅଫ ଫିଲ୍ମ ସାର୍ଟିଫିକେସନ, CBFC କୁ ନିର୍ଦ୍ଦେଶ ଦେଇପାରିବେ ନାହିଁ ବୋଲି କହିଛନ୍ତି ବମ୍ବେ ହାଇକୋର୍ଟ। ତେଣୁ ଫିଲ୍ମର ରିଲିଜ ନେଇ ଜାରି ହୋଇଛି ଅନିଶ୍ଚିୟତା। କୋର୍ଟ କହିଛନ୍ତି, କ୍ଲିଅରାନ୍ସ ସାର୍ଟିଫିକେଟ ପାଇଁ CBFC କୁ ନିର୍ଦ୍ଦେଶ ଦେବା ମଧ୍ଯପ୍ରଦେଶ ହାଇକୋର୍ଟଙ୍କ ଅବମାନନା ହେବ। ଏମର୍ଜେନସି ଫିଲ୍ମ ବିରୋଧରେ ଜବଲପୁର ଶିଖ ସଂଗତ ମଧ୍ଯପ୍ରଦେଶ ହାଇକୋର୍ଟକୁ ଯିବାରୁ ସେନସର ବୋର୍ଡକୁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ, ସାର୍ଟିଫିକେଟ ଦେବା ପୂର୍ବରୁ ଶିଖମାନଙ୍କ ଆପତ୍ତିକୁ ବିଚାରକୁ ନିଅ। ମଧ୍ଯପ୍ରଦେଶ ହାଇକୋର୍ଟଙ୍କ ଏହି ରାୟକୁ ଆମେ ଉଲ୍ଲଂଘନ କରିବୁନି ବୋଲି ବମ୍ବେ ହାଇକୋର୍ଟ ସଫା ସଫା ଶୁଣାଇବା ପରେ ଏମର୍ଜେନସିରେ ପଡ଼ି ଯାଇଯାଇଛି କଙ୍ଗନାଙ୍କ ଫିଲ୍ମ। ସେପ୍ଟେମ୍ବର ୬ରେ ଏହା ରିଲିଜ ହେବାର ଥିଲା। କିନ୍ତୁ ଫିଲ୍ମରେ ଶିଖମାନଙ୍କୁ ଯେମିତି ଚିତ୍ରଣ କରାଯାଇଛି, ତା ଉପରେ ସେମାନେ ଆପତ୍ତି ଉଠାଇଛନ୍ତି। ଏପରିକି ଫିଲ୍ମକୁ ବ୍ୟାନ କରିବାକୁ ଦାବି କରିଛନ୍ତି। ଏହାକୁ ନେଇ ଶିରୋମଣି ଗୁରୁଦ୍ଵାରା ପ୍ରବନ୍ଧକ କମିଟି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟକୁ ମଧ୍ୟ ଚିଠି ଲେଖି ବ୍ୟାନ କରିବାକୁ ଦାବି କରିଥିଲା। କଙ୍ଗନାଙ୍କ ମଣିକର୍ଣ୍ଣିକା ଫିଲ୍ମସ ଓ ଜି ଷ୍ଟୁଡିଓ ପକ୍ଷରୁ ମିଳିତ ଭାବେ ଏହାର ପ୍ରଯୋଜନା କରିଛନ୍ତି। ୧୯୭୫ରେ ଇନ୍ଦିରା ଗାନ୍ଧି ଜାରି କରିଥିବା ଜରୁରୀକାଳୀନ ପରିସ୍ଥିତିକୁ ନେଇ ନିର୍ମିତ ହୋଇଛି ଫିଲ୍ମ ଏମରଜେନ୍ସି।