ସଂଚାର ବ୍ୟୁରୋ: ପୁଣି ବିବାଦରେ ଅଭିନେତ୍ରୀ ତଥା ସାଂସଦ କଙ୍ଗନା ରାଣାୱତ। ଏଥର ଚାଷୀ ଆନ୍ଦୋଳନ ସମ୍ପର୍କରେ କୁତ୍ସିତ ଟିପ୍ପଣୀ ଦେଇ। ହିମାଚଳ ପ୍ରଦେଶ ମଣ୍ଡିର ବିଜେପି ସାଂସଦ କଙ୍ଗନାଙ୍କ ବିବାଦୀୟ ମନ୍ତବ୍ଯକୁ ନେଇ ବି ଅଡୁଆରେ ପଡିଛି ବିଜେପି। ଏକ ସାକ୍ଷାତକାରରେ କଙ୍ଗନା କହିଥିଲେ-ଯଦି ସରକାର କଠୋର ପଦକ୍ଷେପ ନ ନିଅନ୍ତି ତେବେ କୃଷକଙ୍କ ଆନ୍ଦୋଳନ ବାଂଲାଦେଶ ଧରଣର ପରିସ୍ଥିତି ସୃଷ୍ଟି କରିବ। ବାଂଲାଦେଶରେ ଯାହା ଘଟିଲା ତାହା ଏଠାରେ ବି ଘଟିପାରେ। ଏଠାରେ ତାହାର ପ୍ରତିଫଳନ ଲାଗି ବିଦେଶୀ ଶକ୍ତି ଷଡ଼ଯନ୍ତ୍ର କରୁଛନ୍ତି। କୃଷକ ଆନ୍ଦୋଳନ ସମ୍ପର୍କରେ କଙ୍ଗନା ଆହୁରି କହିଥିଲେ ଯେ, କୃଷକ ଆନ୍ଦୋଳନ ଚାଲିଥିବାବେଳେ ଲୋକଙ୍କ ଶବ ଝୁଲୁଥିବା ଦେଖାଯାଇଥିଲା। ସେଠାରେ ଦୁଷ୍କର୍ମ ଚାଲିଥିଲା। ସେପଟେ କଙ୍ଗନାଙ୍କ ମନ୍ତବ୍ଯରୁ ନିଜକୁ ଦୂରେଇଛି ବିଜେପି। ଦଳ କହିଛି- କଙ୍ଗନା ଯେଉଁ ମନ୍ତବ୍ଯ ଦେଇଛନ୍ତି ତାହା ଦଳର ଦୃଷ୍ଟିଭଙ୍ଗୀ ନୁହେଁ। ଦଳର ନୀତିଗତ ବ୍ଯାପାରରେ କିଛି କହିବା ଲାଗି କଙ୍ଗନାଙ୍କୁ ଦଳ ଦାୟିତ୍ବ ନେଇନାହିଁ। ବିଜେପିର ପଞ୍ଜାବ ଶାଖା ପକ୍ଷରୁ ବି କଙ୍ଗନାଙ୍କ ବିବୃତିକୁ ବିରୋଧ କରାଯାଇଛି। ଏହି ଧରଣର ମନ୍ତବ୍ଯ ନ ଦେବା ଲାଗି କଙ୍ଗନାଙ୍କୁ ପରାମର୍ଶ ଦିଆଯାଇଛି।