ସଂଚାର ବ୍ୟୁରୋ: ଶିଶୁକନ୍ୟା ଜନ୍ମ ଦେଲେ ନାବାଳିକା। କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ମେଡିକାଲ ପରିସର ବାହାରେ ଜଣେ ୧୪ ବର୍ଷର ନାବାଳିକା ଜଣେ କନ୍ୟା ସନ୍ତାନ ପ୍ରସବ କରିଛନ୍ତି। ହେଲେ ମେଡିକାଲ ଭିତରେ ଶିଶୁକୁ ପ୍ରସବ କରିବାକୁ ସୁଯୋଗ ଦେଇନଥିଲେ ଡାକ୍ତର।ଡାକ୍ତର ଅନୁମତି ନଦେବାରୁ ବିପଜ୍ଜନକ ଅବସ୍ଥାରେ ହସ୍ପିଟାଲ ବାହାରେ ଶିଶୁକୁ ଜନ୍ମ ଦେଇଥିଲେ ନାବାଳିକା। ପୂର୍ବରୁ ନାବାଳିକା ଜଣକ ଗର୍ଭବତୀ ଖବର ପରେ ଅଙ୍ଗନବାଡି ଏବଂ ଆଶା ଦିଦି ସିଡିପିଓଙ୍କୁ ଜଣାଇଥିଲେ। ଏହାପରେ ସିଡିପିଓ ବ୍ରାହ୍ମଣୀଗାଁ ଥାନା ପୋଲିସକୁ ଜଣାଇଥିଲେ। ବ୍ରାହ୍ମଣୀଗାଁ ପୋଲିସ ନାବାଳିକାଙ୍କ ସହ ଶାରିରୀକ ସମ୍ପର୍କ ଅଭିଯୋଗରେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।ଯୁବକଙ୍କୁ କୋର୍ଟ ଚାଲାଣ ପରେ ଗର୍ଭବତୀ ନାବାଳିକାଙ୍କୁ ବାଲିଗୁଡା ବନବାସୀ ଆଶ୍ରମରେ ରଖାଯାଇଥିଲା। କିଛି ଦିନ ହେବ ପରିବାର ଲୋକେ ନାବାଳିକାଙ୍କୁ ଘରକୁ ଆଣିଥିଲେ। ଆଜି ସକାଳେ ନାବାଳିକାଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ବ୍ରାହ୍ମଣୀଗାଁ ମେଡିକାଲରେ ଭର୍ତି କରିଥିଲେ। ହେଲେ ନାବାଳିକାଙ୍କୁ ମେଡିକାଲ ଭିତରେ ପ୍ରସବ କରିବା ପାଇଁ ସୁଯୋଗ ଦେଇନଥିଲେ। ଶେଷରେ ବାଧ୍ୟ ହୋଇ ନାବାଳିକା ଜଣକ ମେଡିକାଲ ବାହାରେ ପ୍ରସବ କରିଥିଲେ। ଡାକ୍ତରଙ୍କ ଏଭଳି ଅମାନବୀୟ କାର୍ଯ୍ୟକୁ ନେଇ ପରିବାର ଲୋକେ ଦୁଃଖପ୍ରକାଶ କରିଛନ୍ତି।