ସଂଚାର ବ୍ୟୁରୋ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଭାରତ ରାଷ୍ଟ୍ର ସମିତିର ନେତ୍ରୀ ତଥା ତେଲେଙ୍ଗାନାର ପୂର୍ବତନ ମୁଖ୍ଯମନ୍ତ୍ରୀ କେସିଆରଙ୍କ ଝିଅ କେ କବିତାଙ୍କୁ ଜାମିନ। ସର୍ତ୍ତମୂଳକ ଜାମିନ ଦେଇଛନ୍ତି ସୁପ୍ରିମକୋର୍ଟ। ଏହା ସହିତ ଦିଲ୍ଲୀ ହାଇକୋର୍ଟ, ସିବିଆଇ ଓ ଇଡି ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। କବିତାଙ୍କୁ ଉଚ୍ଚଶିକ୍ଷିତ ମହିଳା କହି ଦିଲ୍ଲୀ ହାଇକୋର୍ଟ ଜାମିନ ଦେଇନଥିଲେ। ମହିଳା ଜଣକ ଉଚ୍ଚଶିକ୍ଷିତା ବୋଲି କାହିଁକି ଜାମିନ ଦିଆଯିବନି ବୋଲି ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ। କହିଛନ୍ତି – ମହିଳା ହୋଇଥିବାରୁ ସ୍ଵତନ୍ତ୍ର ଦୃଷ୍ଟିକୋଣରୁ ତାଙ୍କ ଜାମିନର ବିଚାର କରାଯିବାର ଥିଲା । ତଦନ୍ତ ଶେଷ ହେଲାଣି, ଅଭିଯୁକ୍ତଙ୍କୁ ଜେଲରେ ରଖାଯିବାର ଆଉ କୌଣସି କାରଣ ନାହିଁ। କବିତା ୫ ମାସ ଜେଲରେ ରହିବା ସତ୍ତ୍ଵେ ଏଯାଏ ବିଚାର ପ୍ରକ୍ରିୟା ବି ଆରମ୍ଭ ହୋଇନି। ସହିତ ଇଡି ଓ ସିବିଆଇର ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି। ବିରୋଧୀ ଦଳର ନେତାଙ୍କୁ ଏକ ପ୍ରକାର ଟାର୍ଗେଟ କରାଯାଉଥିବାର ସଂକେତ ଦେଇ ଏହା କି ପ୍ରକାର ନିରପେକ୍ଷତା ବୋଲି ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ। ଅଭିଯୁକ୍ତ ରାଜସାକ୍ଷୀ ହେବା ପରେ କେବଳ ତାର ବୟାନକୁ ଆଧାର କରି ଗିରଫ କରାଯିବା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ସୁପ୍ରିମକୋର୍ଟ। କବିତାଙ୍କ ଜରିଆରେ ମଦ ବ୍ୟବସାୟୀ ଆପ୍ କୁ ଶହେ କୋଟି ଟଙ୍କା ଦେବାର ପ୍ରମାଣ କାହିଁ ବୋଲି ପଚାରିଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ରାୟର ସୁଦୂରପ୍ରଭାରୀ ପ୍ରଭାବ ପଡ଼ିବ। କାରଣ ଅଭିଯୁକ୍ତରୁ ରାଜସାକ୍ଷୀ ହୋଇଥିବା ବ୍ୟକ୍ତିଙ୍କ ବୟାନ ଆଧାରରେ ହିଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କୁ ଗିରଫ କରିଛନ୍ତି ଇଡି ଓ ସିିବିଆଇ। ଦିଲ୍ଲୀ ମଦ ମାମଲାରେ ଆଗରୁ ମନୀଷ ସିସୋଦିଆ, ସଂଜୟ ସିଂହଙ୍କୁ ଜାମିନ ମିଳିଥିବା ବେଳେ ଏବେ କବିତା ବି ଜେଲରୁ ବାହାରିବେ। କେବଳ କେଜରିୱାଲ ହିଁ ଏବେ ଭିତରେ ଅଛନ୍ତି।